ସନଷ୍ଟାର ଟିଭି ବ୍ୟୁରୋ
ନୟାଗଡ: ମେଧାବୀ ଛାତ୍ରୀ ଶୁଭଶ୍ରୀ, ବୟସ ମାତ୍ର 23 ବର୍ଷ । ଭବିଷ୍ୟତକୁ ନେଇ ଅନେକ ସ୍ବପ୍ନ ଦେଖିଥିଲା ସେ । ଲୋକଙ୍କ ସେବା କରିବା ପାଇଁ ନଂସି ପାଠ ପଢୁଥିଲା ସେ । ବାପା ମାଆଙ୍କ ନାମ ରଖିବାକୁ ଚାହୁଁଥିଲା । ହେଲେ ବିଧାତାର ନିତୀ ଥିଲା ଭିନ୍ନ । ନିମିଷକରେ କାଚ ଭଳି ତାର ସ୍ବପ୍ନ ଭାଙ୍ଗି ଚୁରମାର୍ ହେଇଗଲା । ସେ ବର୍ତ୍ତମାନ କିଡନୀ ରୋଗରେ ପିଡୀତ ।ତା ଭବିଷ୍ୟତର ଲମ୍ବା ରାସ୍ତାରେ ବାଟ ଓଗାଳିଛି ଏହି କିଡନୀ ରୋଗ । ଯେଉଁ ବୟସରେ ସେ ବାପା ମାଆଙ୍କ ସାହାରା ହେବା କଥା ସେହି ବୟସରେ ଶର୍ଯ୍ୟାଶାୟୀ ସାଜିଛି ଶୁଭଶ୍ରୀ । ରୋଗ ଶର୍ଯ୍ୟାରେ ପଡି ଶୁଭଶ୍ରୀ ଦେଖୁଛି ନିଜ ଭବିଷ୍ୟତର ସ୍ବପ୍ନ । ତେବେ ତା ଚିକିତ୍ସା ପାଇଁ ଆବଶ୍ୟକ ଲକ୍ଷାଧିକ ଟଙ୍କା । ଯାହା ଯୋଗାଡ କରିବା ତାଙ୍କ ପରିବାର ପାଇଁ କାଠିକର ପାଠ । ସେଥିପାଇଁ ରୋଗ ଶର୍ଯ୍ୟାରେ ପଡି ଶୁଭଶ୍ରୀ ମାଗୁଛି ଜୀବନ ଭିକ୍ଷା ।
ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅଧିନସ୍ଥ ଗୋପାଳପୁର ଗ୍ରାମର ସର୍ବେଶ୍ବର ସ୍ବାଇଁଙ୍କ ଝିଅ ଶୁଭଶ୍ରୀ ସ୍ବାଇଁ । ଗତ 1 ବର୍ଷ ହେଲା ତାଙ୍କ ସ୍ବାସ୍ଥ୍ୟାବସ୍ଥା ପୁରା ବିଗାଡି ଯାଇଛି । ତାଙ୍କର ଦୁଇଟା ଯାକ କିଡନୀ ପୂରା ଖରାପ ହୋଇଯାଇଛି ଓ ଏମ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।
ପେଶାରେ ତାଙ୍କ ବାପା ଜଣେ କୃଷକ । ଚାଷ କରି ଯାହା ଦୁଇ ପଇସା ରୋଜଗାର କରନ୍ତି ସେଥିରେ ପରିବାର ଚଳିଯାଏ । ଆଶା ରଖିଥିଲେ ମେଧାବୀ ଝିଅକୁ ଉଚ୍ଚ ଶିକ୍ଷିତ କରାଇବେ । ଝିଅ ଚାକିରି କଲେ ପରିବାରର ସୁଖ ଫେରିବ । ହେଲେ ପରିବାର ଦୁଃଖ ସହିତ ଝିଅର ଏଭଳି ଅବସ୍ଥା ବେଡି ଉପରେ କୋରୋଡା ସାଜିଛି ।
ଝିଅର ଅବସ୍ଥା ଦେଖି ମାଆର ମନ ମଧ୍ୟ ସମ୍ଭାଳୀ ପାରୁନି । ନିଷ୍ପତି ନେଇଛନ୍ତି ଝିଅକୁ ଗୋଟିଏ କିଡନୀ ଦାନ କରିବେ । ତେବେ କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ଆପୋଲୋରେ ଭର୍ତ୍ତି ହେବାକୁ ହେବ ଓ ଏଥିପାଇଁ ପ୍ରାୟ 15 ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ହେଲେ ଏତେ ପଇସା ଯୋଗାଡ଼ କରିବା ଗରିବ ବାପାଙ୍କ ପକ୍ଷେ ସମ୍ଭବ ନୁହେଁ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆଧାରରେ ଶୁଭଶ୍ରୀଙ୍କୁ 5 ଲକ୍ଷ ଟଙ୍କା ସହାୟତା ରାଶି ମିଳିଯିବ । ହେଲେ ବାକି ଟଙ୍କା ଆସିବ କୋଉଠୁ ।
ସେଥିପାଇଁ ଶୁଭଶ୍ରୀ ଓ ତାଙ୍କ ପରିବାରର ଆକୁଳ ନିବେଦନ ଆପଣମାନେ ସେମାନଙ୍କୁ ସାହାଯ୍ୟ କଲେ ହୁଏତ ଜୀବନ ଯୁଦ୍ଧରେ ଲଢୁଥବା ଶୁଭଶ୍ରୀ ବଞ୍ଚିଯିବ । ସନ ଷ୍ଟାର ଟିଭି ପକ୍ଷରୁ ଆପଣମାନଙ୍କୁ ଓ ସରକାରଙ୍କୁ ଅନୁରୋଧ ଶୁଭଶ୍ରୀଙ୍କ ଏଭଳି ସମୟରେ ତାଙ୍କୁ ଟିକେ ସହାୟତା ଯୋଗାଇ ଦିଅନ୍ତୁ ।