ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କମିଶନରେଟ୍ ପୋଲିସକୁ ମିଳିଛି ଏକ ବଡ ସଫଳତା ।କମିଶନରେଟ୍ ପୋଲିସ ପଞ୍ଝାରେ ଏକ ବଡ ସାଇବର ଲୁଟେରା ଗ୍ୟାଙ୍ଗ୍ ଧରାପଡିଛନ୍ତି । ଏହି ଗ୍ୟାଙ୍ଗର ୭ ଜଣଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ମାଷ୍ଟରମାଇଣ୍ଡ ଫେରାର ଥିବା ସୂଚନା ମିଳିଛି । ସାତ ଜଣଙ୍କ ମଧ୍ୟରେ ଦୁଇ ଜଣ ଟେଲିକମ୍ କମ୍ପାନୀରେ କାର୍ଯ୍ୟ କରୁଥିଲେ ବୋଲି କମିଶନରେଟ୍ ପୋଲିସ ସୂଚନା ଦେଇଛନ୍ତି । କଟକ, ବଲେଶ୍ଵର ଓ ଭଦ୍ରକ ଅଞ୍ଚଳରୁ ଏହି ୭ ଜଣ ସାଇବର ଠକ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ୧୬ ହଜାର ସିମ୍ କାର୍ଡ ସହ ୫ ଲକ୍ଷ ଟଙ୍କାର ମୋବାଇଲ ସହ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ତେବେ ଏହି ଠକ ଗ୍ୟାଙ୍ଗ୍ ନାମରେ ଏକାଧିକ ଅପରାଧିକ ମାମଲା ରହିଛି । କିଛି ଦିନ ତଳେ ସହିଦନଗର ଥାନା ଅଞ୍ଚଳର ଜଣେ ମହିଳାଙ୍କ ସିମ୍ କାର୍ଡ ଲିକ୍ ହୋଇଯିବା କହି ଲିଙ୍କ୍ ପଠାଇଥିଲେ । ମହିଳା ଜଣଙ୍କ ଏହି ଲିଙ୍କ୍ରେ ସବସ୍କ୍ରାଇବ୍ କରିବା କ୍ଷଣି ତାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଚୂନ ଲଗାଇଦେଇଥିଲେ ଏହି ଠକ ।
ପ୍ରି ଆକ୍ଟିଭେଟେଡ୍ ସିମ୍ ଜରିଆରେ ସେମାନେ ଏହି ଅପରାଧିକ କାର୍ଯ୍ୟ ଘଟାଉଥିଲେ । ଏମାନେ ସିଧାସଳଖ ସାଇବର କ୍ରାଇମରେ ସମ୍ପୃକ୍ତ ନଥିଲେ ମଧ୍ୟ ସାଇବର କ୍ରାଇମ୍ ପାଇଁ ଖୋରାକ୍ ଯୋଗାଉଥିଲେ ବୋଲି କହିଛନ୍ତି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।