ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ଆଉ ୭ଟି ଜିଲ୍ଲାରେ ମେଡିକାଲ ଅମ୍ଳଜାନ ପ୍ଲାଣ୍ଟର ଶିଳାନ୍ୟାସ ସହ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମି ଲୋକାର୍ପିତ କରିଛନ୍ତି । ଏହାକୁ ମିଶାଇ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି। ଆଗାମୀ ୨ମାସ ମଧ୍ୟରେ ଏହିସବୁ ପ୍ଲାଣ୍ଟରୁ ସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଜଣେ ବି କରୋନା ରୋଗୀ ଯେପରି ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନ ହୁଅନ୍ତି, ସେ ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଥମ ଓ ଦ୍ଵିତୀୟ ଲହରର ଅଭିଜ୍ଞତା ଆମକୁ ତୃତୀୟ ଲହରର ମୁକାବିଲାରେ ନିଶ୍ଚୟ ସହାୟକ ହେବ ବୋଲି ସେ କହିଛନ୍ତି।
ଆଜି ଭିତ୍ତିପ୍ରସ୍ତର ଦିଆଯାଇଥିବା ଜିଲ୍ଲାଗୁଡିକ ହେଲା – ଅନୁଗୁଳ, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଜପତି, ଭବାନୀପାଟଣା ଓ ନୂଆପଡା । ପ୍ରତ୍ୟେକ ସଂରକ୍ଷଣ ବ୍ୟବସ୍ଥାରେ ୬ କିଲୋଲିଟର ତରଳ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ କରାଯାଇପାରିବ । ଏହାସହିତ ମୁଖ୍ୟମନ୍ତ୍ରୀ ଆଠମଲ୍ଲିକ ଉପଖଣ୍ଡ ହସ୍ପିଟାଲରେ ଅକ୍ସିଜେନ ପାଇପ ସଂଯୁକ୍ତ କୋଭିଡ ୱାର୍ଡ; ପାଲଲହଡା ଉପଖଣ୍ଡ ହସ୍ପିଟାଲ, ମାଧପୁର ଓ କିଶୋରନଗରର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଠାକୁରମୁଣ୍ଡା ଓ ବଇଣ୍ଡାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅକ୍ସିଜେନ ପାଇପ ସଂଯୁକ୍ତ ଆଇସୋଲେସନ୍ ୱାର୍ଡ, ଓ ତା ସହିତ ଦେବଗଡ ରାଜମୁଣ୍ଡାସ୍ଥିତ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟୀକା ଭଣ୍ଡାର ଗୃହର ଉଦ୍ଘାଟନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ, ଉପବାଚସ୍ପତି ରଜନୀକାନ୍ତ ସିଂହ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ, ଶକ୍ତି ମନ୍ତ୍ରୀ ଦିବ୍ୟଶଂକର ମିଶ୍ର, ଢେଙ୍କାନାଳ ସାଂସଦ ମହେଶ ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ପ୍ରମୁଖ ରାଜ୍ୟରେ କୋଭିଡ ଯୁଦ୍ଧରେ ଓଡିଶାର ଉତ୍ତମ ପ୍ରଦର୍ଶନ ଓ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦକ୍ଷ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରେ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ ।