ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ଅତ୍ୟଧିକ ସ୍ନାନ କରି ଜ୍ବରରେ ପଡି ଅଣସର ଘରେ ରହିଛନ୍ତି ଶ୍ରୀଜିଉ । ଆଜିଠୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଅର୍ଥାତ୍ 15 ଦିନ ଧରି ଅଣସର ଘରେ ରହିବେ ମହାପ୍ରଭୁ । ସ୍ନାନପୂର୍ଣ୍ଣିମା ବିଳମ୍ବିତ ରାତି ଠାରୁ ଆସନ୍ତା ଜୁଲାଇ ୮ତାରିଖ ୧୫ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଅନୁଷ୍ଠିତ ହେବ ଅନବସରକାଳୀନ ଗୁପ୍ତ ପୂଜା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ଓ ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ପଟିଦିଅଁ ରୂପେ ପୂଜିତ । ଶ୍ରୀ ନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ କୃଷ୍ଣ ବିଗ୍ରହ, ମା’ ଭୁବନେଶ୍ୱରୀଙ୍କ ସମ୍ମୁଖରେ ଭୂଦେବୀ ଓ ଶ୍ରୀଦେବୀ ଏବଂ ଶ୍ରୀ ଅନନ୍ତ ବାସୁଦେବଙ୍କ ସମ୍ମୁଖରେ ଦୋଳଗୋବିନ୍ଦ ଓ ଶ୍ରୀନୃସିଂହଙ୍କ ପ୍ରତିମୂର୍ତ୍ତି ଅଧିଷ୍ଠିତ ।
ଅନ୍ୟପଟେ, ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ଥିବାରୁ ଏହି ସମୟରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିବାକୁ ଭକ୍ତଙ୍କ ଭିଡ ଜମିଥାଏ । ଏହି ସମୟରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କଲେ କୋଟି ପୂଣ୍ଣ୍ୟ ମିଳିଥାଏ ବୋଲି ଲୋକକଥା ରହିଛି ।ତେବେ କୋରୋନା କଟକଣା କାରଣରୁ ଭକ୍ତଙ୍କ ପାଇଁ ମନ୍ଦିର ଚାରି ପାଖରେ 144 ଧାରା ଲାଗୁ ହୋଇ ଥିବାବେଳେ କେବଳ ସୀମିତ ସେବାୟତଙ୍କୁ ନେଇ ନୀତିକାନ୍ତି ଚାଲିଛି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରଦ୍ଧାଳୁମାନେ ଅଲାରନାଥଙ୍କ ଦର୍ଶନ ପାଇବାରୁ ବଞ୍ଚିତ ରହିଛନ୍ତି ।