ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ବିନା ଭକ୍ତରେ ଶ୍ରୀମନ୍ଦିରରୁ ବାହାରି ସ୍ନାନ ମଣ୍ଡପରେ ବିଶ୍ବବାସୀଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସ୍ନାନ ମଣ୍ଡପରେ ବିଜେ କରି ପୁଷ୍ପ, ତୁଳସୀ ପତ୍ରରେ ସୁସଜ୍ଜିତ ହୋଇଛନ୍ତି ମହାପ୍ରଭୁ । 108 ଗରା ସୁଗନ୍ଧିତ ଜଳରେ ସ୍ନାନ କରିବେ । ସୁନା କୂଅରୁ ଜଳ ଆସିବା ପରେ ସ୍ନାନ ବେଦୀରେ ସ୍ନାନ କରିବେ ଶ୍ରୀଜିଉ । ମହାପ୍ରଭୁ ଜଗନ୍ନାଥ 35 ଗରା, ବଡ ଠାକୁର ବଳଭଦ୍ର 33 ଗରା, ମା’ ସୁଭଦ୍ରା 22 ଗରା ଏବଂ ସୁଦର୍ଶନଙ୍କୁ 18 ଗରାରେ ସ୍ନାନ କରାଯିବ ।
ନୀତି ନିର୍ଘଣ୍ଟ ଅନୁଯାୟୀ ଗତକାଲି(ବୁଧବାର) ରାତି ଗୋଟାଏରେ 3 ଭାଇ ଭଉଣୀ ବଡ ଠାକୁର ବଳଭଦ୍ର, ମା’ ଶୁଭଦ୍ରା ଏବଂ ମହାପ୍ରଭୁ ଜଗନ୍ନାଥଙ୍କୁ ଧାଡି ପହଣ୍ଡି କରି ସ୍ନାନବେଦୀରେ ପଦାର୍ପଣ କରାଯାଇଛି । ଭୋର 4ଟା ରେ ପହଣ୍ଡି ସରିବା ପରେ ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ଗତକାଲି ଠାରୁ ଦୟଣା ମାଳି ସେବକଙ୍କ ଦ୍ବାରା ଏହାର ଶୋଧ କାର୍ଯ୍ୟ ଶେଷ ହୋଇଛି । ସ୍ନାନ ନୀତି ପରେ ଦିନ 11ଟା ରୁ 12 ଟା ମଧ୍ୟରେ ହାତୀବେଶ ଶେଷ ହେବ । ଏହାପରେ ଅହରାହ୍ନ 4 ଟାରେ ହାତୀବେଶ ଆଭୂଷଣ ଓଲାଗି ହେବ । ଅପରାହ୍ଣ 5ଟା ରୁ ରାତି 8ଟା ମଧ୍ୟରେ ମହାପ୍ରଭୁ ବଡ ଦେଉଳକୁ ଗୋଟି ପହଣ୍ଡି କରିବେ । ଏହାପରେ ରାତି ସାଢେ ଆଠଟା ସୁଦ୍ଧା ଠାକୁରଙ୍କ ସୁନା ଚିତା ଏବଂ ସୁବର୍ଣ୍ଣ ରାହୁରେଖା ଓଲାଗି ହେବ । ରାତି ବାରଟା ସୁଦ୍ଧା ଅଣସର ତାଟି ବନ୍ଧାଯାଇ ସାଢେ ବାରଟାରେ ଖଟୁଳି ଉପରକୁ ବିଜେ କରିବେ ।
ସ୍ନାନ କରି 3 ଭାଇ ଭଉଣୀ ନେତ୍ରୋତ୍ସବ ପର୍ଯ୍ୟନ୍ତ ଜ୍ବରରେ ପୀଡିତ ହୋଇ 15 ଦିନ ଅଣସର ଘରେ ରହିବେ । ଅତ୍ୟଧିକ ସ୍ନାନ କରିବା ଯୋଗୁଁ ତିନି ଠାକୁର ଜ୍ବରରେ ପଡନ୍ତି ବୋଲି ବିଶ୍ବାସ ରହିଛି । ପୌରାଣିକ କଥାବସ୍ତୁ ଅନୁଯାଯୀ, ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବାରୁ ଏହାକୁ ଶ୍ରୀଜୀଉଙ୍କ ଆଦ୍ୟଲୀଳା କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ୍ନ । ସେତେବେଳେ ସ୍ନାନମଣ୍ଡପ ନ ଥିବା ଯୋଗୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନ ବିଧି ସମାପନ ହୋଇଥିଲା । 108 ସୁନା କଳସ ଜଳରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁ ବ୍ରହ୍ମଙ୍କ ଏହି ନୀତି ସମ୍ପନ୍ନ ହୋଇଥାଏ । ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରାଯାଇ ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି ।