ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ଅପରାହ୍ଣ 3ଟା ସମଯରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଛି ସର୍ବଦଳୀୟ ବୈଠକ । ମୋଦୀଙ୍କ ବାସ ଭବନରେ ଆୟୋଜିତ ଏହାକୁ ଥିବା ଏହି ବୈଠକରେ ଜାମ୍ମୁ କାଶ୍ମୀରର ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । କଣ ରହିବ ସର୍ବଦଳୀୟ ବୈଠକରେ ଆଲୋଚନା ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଏହି ବୈଠକରେ ଜାମ୍ମୁ କାଶ୍ମୀରର 14ଟି ବିଶିଷ୍ଟ ରାଜନୈତିକ ଦଳର ମୁଖିଆ ତଥା ପ୍ରତିନିଧି ଯୋଗ ଦେବେ । ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ରଦ୍ଦ ହେବାର ପ୍ରାୟ ଦୁଇ ବର୍ଷ ପରେ ଆଜି ଏବି ବୈଠକ ବସିବାକୁ ଯାଉଛି । ଅଗଷ୍ଟ 2019ରେ ଜାମ୍ମୁ କାଶ୍ମୀରରୁ ଧାରା 370 ଓ 35 (କ) ଉଚ୍ଛେଦର ପାଖାପାଖି 2 ବର୍ଷ ପରେ କେନ୍ଦ୍ର ସରକାରଙ୍କ ଏହା ହେଉଛି ସବୁଠାରୁ ଆଉ ଏକ ବଡ ପଦକ୍ଷେପ । କାରଣ ଧାରା 370 ଉଚ୍ଛେଦ ପରଠାରୁ ଏଭଳି କୌଣସି ବୈଠକ ହୋଇନଥିଲା । ଯଦିଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ବିଭିନ୍ନ ସମୟରେ ଆସି ଗୃହମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି, କିନ୍ତୁ ପ୍ରଥମ ଥର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହେବାକୁ ଯାଉଛି ।
ବୈଠକ ପାଇଁ ଦିଲ୍ଲୀ ଅଭିମୁଖେ ବାହାରି ସାରିଛନ୍ତି ଜାମ୍ମୁ କାଶ୍ମରର ସମସ୍ତ ରାଜନୈତିକ ଦଳ । ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟିର ସଭାପତି ମେହବୁବା ମୁଫତି, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ନେତା ୟୁସୁଫ୍ ତରିଗାମି, ସାଜାଦ ଲୋନ, ଅଲତାଫ ବୁଖାରୀ, ରେଭେଣ୍ଡର ରାଇନା, କବିନ୍ଦର ଗୁପ୍ତା ଏବଂ ବିଜେପିର ନିର୍ମଳ ସିଂ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ଜାତୀୟ ସମ୍ମିଳନୀ ସଭାପତି ତଥା ସାଂସଦ ଫାରୁକ୍ ଅବଦୁଲ୍ଲା ଆଜି ସକାଳେ ଏହି ବିରାଟ ସଭାରେ ଯୋଗଦେବେ । ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଦୋଭାଲ୍, ଜାମ୍ମୁ କାଶ୍ମୀର୍ ଲେପ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ ପ୍ରମୁଖ ଉପସ୍ଥିତ ରହିବାର ସୂଚନା ରହିଛି ।