ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି । 24ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସେହିପରି କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା 26 ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଝଡ଼ତୋଫାନ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ତେବେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହୋଇଥିବା ବର୍ଷାର ପରିମାଣର ରିପୋର୍ଟ ପ୍ରଦାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ରିପୋର୍ଟ ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇରେ ସବର୍ଧିକ ବର୍ଷା ହୋଇଛି ।ଏଠାରେ 225 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହାପଛକୁ କଟକର କଣ୍ଟାପଡାରେ 190 ମିଲିମିଟର, ବାଲେଶ୍ବରର ଭୋଗରାଇରେ 130 ମିଲିମିଟର, ଜଗତସିଂହପୁରର କୁଜଙ୍ଗରେ 125 ମିଲିମିଟର, ବାଲେଶ୍ବରର ଜଳେଶ୍ବରରେ ଓ ଖୋର୍ଦ୍ଧାର ବାଲିପାଟଣାରେ 118 ମିଲିମିଟର, ପୁରୀର ପିପିଲିରେ 114 ମିଲିମିଟର, ଖୋର୍ଦ୍ଧାର ଭୁବନେଶ୍ବରରେ 113.3 ମିଲିମିଟର, କଟକର ସାଲେପୁରରେ 101 ମିଲିମିଟର ରେକର୍ଡ କରାଯାଇଛି ।
ଅନ୍ୟପଟେ, ମୌସୁମୀ ଜନିତ ଅଧିକ ବର୍ଷା ଏବଂ ବିଭିନ୍ନ ନଦୀ ଅବବାହିକାରେ ଥିବା ଜଳ ଭଣ୍ଡାର ଗୁଡିକର ସୁପରିଚାଳନା କରି ସମ୍ଭାବ୍ୟ ବନ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି । ବିଭାଗୀୟ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।