ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ସଂକ୍ରମଣ ଭୟରେ ବିନା ଭକ୍ତ ସମାଗମରେ ସ୍ନାନବେଦୀଙ୍କୁ ବିଜେ କରିବେ ଶ୍ରୀଜିଉ । ଭକ୍ତଙ୍କୁ ରୋକିବା ପାଇଁ ଆଜି ରାତିରୁ ଶ୍ରୀକ୍ଷେତ୍ରରେ ଜାରି ହେଉଛି ୧୪୪ ଧାରା । ଆଜି ରାତି ୧୦ଟାରୁ ୧୪୪ ଧାରା ଲାଗୁ ହୋଇ ୨୫ ତାରିଖ ଯାଏ ଏହା ବଳବତ୍ତର ରହିବ । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତି ବିଶେଷଙ୍କୁ ପୁରୀ ପ୍ରବେଶ ପାଇଁ ଅନୁମତି ରହିବ। ଏହି ସମୟରେ ସାଧାରଣ ଲୋକ ଶ୍ରୀକ୍ଷେତ୍ରରେ ଦେଖାଗଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷକୁ କଡା ଚେତାବନୀ ଦିଆଯାଇଛି ।
ତେବେ ଆସନ୍ତା କାଲି ସ୍ନାନବେଦୀରେ ଗଜ ବେଶରେ ସୁସଜ୍ଜିତ ହେବେ ମହାପ୍ରଭୁ । ସ୍ନାନଯାତ୍ରା ଲାଗି ଆଜି ରାତିରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ । ଶ୍ରୀଜିଉ ଧାଡି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରିବେ। ଆସନ୍ତାକାଲି ସକାଳେ ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନ କରିବା ସହ ଗଜାନନ ବେଶ ଧାରଣ କରିବେ । ଅପରାହ୍ନରେ ଗଜଓଲାଗି ବେଶ ପରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ଏହାପରେ ଶ୍ରୀଜିଉଙ୍କ ଅଣସର ନୀତି ଆରମ୍ଭ ହେବ ।