ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା ସଂକ୍ରମଣ ଦୃଷ୍ଟିରୁ 2 ବର୍ଷ ହେବ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଅନଲାଇନରେ କ୍ଲାସ କରାଯାଉଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ତାହା ଯଥେଷ୍ଟ ନୁହେଁ । ଅନେକଙ୍କ ପାଖରେ ମଧ୍ୟ ଅନଲାଇନ ଶିକ୍ଷା ବ୍ୟବସ୍ଥା ପହଞ୍ଚିପାରୁନାହିଁ । ଏପରି ପରିସ୍ଥିତିରେ ନବମ ଓ ଦଶମ ଶ୍ରେଣୀର ସିଲାବସ୍ ହ୍ରାସ କରିବା ନେଇ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।
ତେବେ ନବମ ଓ ଦଶମ ଶ୍ରେଣୀର ସିଲାବସ୍ ୩୦% ହ୍ରାସ କରାଯିବ ବୋଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ସୂଚନା ଦେଇଛନ୍ତି ।ତେବେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଏଯାଏଁ କୌଣସି ନିଷ୍ପତି ଗ୍ରହଣ କରାଯାଇନାହିଁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ବର୍ତ୍ତମାନ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ୟୁଟ୍ୟୁବରେ କରାଯାଉଛି । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା ଜୁଲାଇ ୩୧ ଯାଏଁ ଚାଲିବ। ସୋମବାରରୁ ଶୁକ୍ରବାର ସକାଳ ୧୦ଟା ୪୫ରୁ ଅପରାହ୍ଣ ଗୋଟାଏ ଯାଏଁ ଦିନକୁ ୪ଟି ପିରିୟଡ୍ ହେବ। ସେହିପରି ଜୁଲାଇ ୭ ତାରିଖ ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ହେବ । ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢା ସକାଳ ୯ଟାରୁ ୧୦ଟା ଯାଏ ଏବଂ ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ପର୍ଯନ୍ତ ପିଲାଙ୍କ ଲାଗି ସକାଳ ୯ଟାରୁ ୧୦ଟା ୩୦ ଯାଏ ହେବ ।