ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ଦୁଇ ଦିନ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପତିତପାବନ ଜଗନ୍ନାଥ ଧାମରେ ଜୋରସୋରରେ ଏହାର ପ୍ରସ୍ତୁତିପର୍ବ ଆଗେଇ ଚାଲିଛି । ଦେବସ୍ନାନ ପୂର୍ଣ୍ଣିମା ପାଇଁ ଦଇତାପତି ସେବକମାନେ ସଜବାଜ ହୋଇଛନ୍ତି । ରଥଯାତ୍ରାରେ ଦେବସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତିକାନ୍ତି ପାଇଁ ମଙ୍ଗଳବାର ଶ୍ରୀମନ୍ଦିରରେ ଦଇତାପତି ପ୍ରବେଶ ନୀତି ଅନୁଷ୍ଠିତ ହେବାକୁ ଯାଉ ଛି।
ତେବେ ପରମ୍ପରା ଅନୁଯାୟୀ, ମଙ୍ଗଳାଆଳତି ପରେ ପରେ ଦଇତାପତି ପ୍ରବେଶ ନୀତି ଅନୁଷ୍ଠିତ ହେବ । ରଥଯାତ୍ରା ଦଇତାପତି ସେବକଙ୍କ ଗୋଷ୍ଠୀଗତ ସେବା । ପ୍ରଥମେ ଦେବସ୍ନାନ ପୂର୍ଣ୍ଣିମାରୁ ଏହି ସେବା ଆରମ୍ଭ ହୋଇଥାଏ । ଏଥିପାଇଁ ମଙ୍ଗଳାଆଳତି ପରେ ଦଇତାପତି ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ପରେ ଚାରମାଳ ବନ୍ଧା ଓ ସେନାପଟା ଲାଗି ହେବ । ଆସନ୍ତାକାଲି ଦଇତାପତି ପ୍ରବେଶ ନୀତି ପରେ ସଂଧ୍ୟା ଆଳତି ପରେ ପରେ କୋଠ ସୁଆଁସିଆଁମାନେ ସେନାପଟା ଲାଗି ପାଇଁ ରତ୍ନ ସିଂହାସନରେ ଚାରମାଳ ବାନ୍ଧିବେ । ବଉଳକଣ୍ଟ ନୀତି ଅନୁଷ୍ଠିତ ହେବ । ପରଦିନ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ ।