ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କେବେ ସେ କଠୋର ହୋଇ ଶାସନ କରନ୍ତି ତ କେବେ ସୁରକ୍ଷାକବଚ ସାଜି ନିଜ ପିଲା ପାଇଁ ସାରା ଦୁନିଆ ସହ ଲଢିଯାନ୍ତି । ପିଲାଟିକୁ ମଣିଷ ପରି ମଣିଷ ଟିଏ ଗଢି ତୋଳିବାକୁ ଯିଏ ଦିନ ରାତି ମୁଣ୍ଡ ଝାଳ ତୁଣ୍ଡରେ ମାରି କାମ କରିଚାଲିଥାନ୍ତି । ପିଲାର ଭଲ ପାଇଁ ନିଜର ସ୍ନେହ,ମମତା, ପ୍ରେମକୁ ଯିଏ ନିଜ ମନ ଭିତରେ ଲୁଚାଇ ରଖି ଆଖି ଦେଖାଇ ଶାସନ କରନ୍ତି । ଶୋଇ ପଡିଲା ପରେ ଯିଏ ଆସି ମୁଣ୍ଡକୁ ଆଉଁଷି ଦେଇ ସକାଳେ ମାରିଥିବା ମାଡକୁ ମନ ପକାଇ ଆଖିରେ ଲୁହ ନେଇ ଆସନ୍ତି ସେ ହେଉଛନ୍ତି ‘ବାପା’ । ପୃଥିବୀରେ ଭଗବାନଙ୍କ ଚଳନ୍ତି ପ୍ରତୀମା ହେଉଛନ୍ତି ମା-ବାପା । ସମୁଦ୍ର ପରି ବିଶାଳ ହୃଦୟ, ପାହାଡ ପରି ଦୃଢ ମନୋବଳ, ଆକାଶ ପରି ଅସୀମ ଭଲ ପାଇବାରେ ଗଢା ହେଇଛନ୍ତି ବାପା ।
ତେବେ ଆଜି ସେହି ବାପାଙ୍କ ନାମରେ ଦିନଟିଏ ବିଶ୍ବର ସମସ୍ତ ବାପାଙ୍କୁ ଏହି ଦିନର ଶୁଭେଚ୍ଛା । Happy Father’s Day… ଜୁନର ତୃତୀୟ ରବିବାରକୁ ଫାଦର୍ସ ଡେ ଭାବେ ପାଳନ କରାଯାଇଥାଏ । ଆମେରିକା, କାନାଡା ଓ ଭାରତରେ ଏହାକୁ ଜୁନର ତୃତୀୟ ରବିବାର ଦିନ ହିଁ ପାଳନ କରାଯାଇଥାଏ । ବାପାଙ୍କୁ ସ୍ବତନ୍ତ୍ର ଅନୁବୋଧ କରାଇବା, ସମ୍ମାନୀତ କରିବା ପାଇଁ ପିତୃତ୍ବ ଦିବସ ପାଳନ କରାଯାଇଥାଏ । ଫାଦର୍ସ ଡେ’ ପ୍ରଥମେ ପଶ୍ଚିମ ଭର୍ଜିନିଆର ଫେୟରମୋଣ୍ଟରେ 5 ଜୁଲାଇ 1908ରେ ପାଳନ କରାଯାଇଥିଲା । ଏହାପରେ 1972 ମସିହାରେ ଫାଦର୍ସ ଡେ ପାଳନ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ୍ ଘୋଷଣା କରିଥିଲେ ।ଯାହା ପରେ ଏହା ପ୍ରତିବର୍ଷ ଏହି ଦିନରେ ସାରା ବିଶ୍ବରେ ପାଳନ କରାଯାଉଛି ।