ସନଷ୍ଟାର ଟିଭି ବ୍ୟୁରୋ
ସୁକିନ୍ଦା: ନିଜ ଭାଇ ବାହାଘରରେ ମହଙ୍ଗା ପଡିଲା ଭଉଣୀର ନାଗିନ୍ ଡ୍ୟାନ୍ସ । କରୋନା କଟକଣାକୁ ବେଖାତିର କରି ବିନା ମାକ୍ସରେ ରାତିରେ ରୋଷଣୀ କରି ବିବାହ ଉତ୍ସବରେ ସୁକିନ୍ଦା ତହସିଲଦାର ବୁଲ୍ବୁଲ୍ ବେହେରା ନାଗିନ ଡ୍ୟାନ୍ସ କରିବା ଭିଡିଓ ବେଶ୍ ଭାଇରାଲ ହୋଇଥିଲା । ଯ଼ାହା ପରେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଏପରି ବିଶୃଙ୍ଖଳିତ କାର୍ଯ୍ୟକଳାପ ପାଇଁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ସୂଚନା ମିଳିଛି ।
ସୂଚନା ଯୋଗ୍ୟ, ଗତ ମେ ୨୧ତାରିଖ ଦିନ ଭାଇ ବାହାଘରରେ ନାଗିନ୍ ଡ୍ୟାନ୍ସ କରି ତହସିଲଦାର ଶ୍ରୀମତୀ ବେହେରା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲିଟିଥିଲେ । କୋଭିଡ୍ କଟକଣାକୁ ଫୁ କରି ୭୦ରୁ ୮୦ ବରଯାତ୍ରୀଙ୍କୁ ନେଇ ଜଗତସିଂହପୁର ଜିଲ୍ଲା ଜଗନ୍ନାଥପୁର ଗ୍ରାମରେ ରାତ୍ର ବେଳା ଶୋଭାଯାତ୍ରା କରି ରାଜରାସ୍ତାରେ ସଂଗୀତର ତାଳେ ତାଳେ ନାଗିନ୍ ଡ୍ୟାନ୍ସ କରିଥିଲେ । ଯାହାକୁ ନେଇ ଗତ ମେ ୨୩ ତାରିଖ ଦିନ ସ୍ଥାନୀୟ ସରପଞ୍ଚ ସିଲାରାଣୀ ଖଣ୍ଡୁଆଳଙ୍କ ଏତଲା କ୍ରମେ ତିର୍ତ୍ତୋଲ ପୁଲିସ ମହାମାରି ଆଇନର ଧାରା ୩ ଓ ୫୧ ବିପର୍ଯ୍ୟୟ ପରିଚାଳନା ଧାରା ଭଳି ସଂଗୀନ ମାମଲା ରୁଜୁ କରିଥିଲା । ପରେ ଘଟଣାକୁ ନେଇ ମାନବାଧିକାର କମିସନ ପକ୍ଷରୁ ଚଳିତ ମାସ ୭ ତାରିଖ ଜଗତସିଂପୁର ଜିଲ୍ଲାପାଳଙ୍କୁ ସୁକିନ୍ଦା ତହସିଲଦାର ଶ୍ରୀମତୀ ବେହେରା କରିଥିବା କୋଭିଡ୍ କଟକଣା ଉଲ୍ଲଂଘନ ଓ ସର୍ବସାଧାରଣରେ ଉତ୍ସବ ପାଳନ କରି ନୃତ୍ୟ କରିବା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହା ଉପରେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛି ।