ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ମହାକାଶ ଯିବ ଫାଷ୍ଟନର୍ । ଓଡ଼ିଆ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ଫାଷ୍ଟନରକୁ ଜୁନ୍ ୨୪ରେ ନାସା ମହାକାଶକୁ ପ୍ରେରଣ କରିବ । ସେଠାରେ ଏହି ଫାଷ୍ଟନର୍ ବା ନଟ୍ ବୋଲ୍ଟ ତିଷ୍ଠି ପାରୁଛି ନା ନାହିଁ ତାର ପରୀକ୍ଷା କରିବ ନାସା । ଆଗାମୀ ମହାକାଶ ମିଶନ ପାଇଁ ଚୟନ ହୋଇଛି ୟଙ୍ଗ୍ ଟିଙ୍କର୍ ଏକାଡେମୀର ୭ ଜଣିଆ ଟିମ୍ର ଏକ୍ସପେରିମେଣ୍ଟ । ୪ଟି ଭିନ୍ନ ଧାତୁରେ ତିଆରି ହୋଇଥିବା ଏହି ନଟ୍ ବୋଲ୍ଟର ବିକାଶ ପାଇଁ ୩ ମାସ ଦିନ ରାତି ଏକ କରିବାକୁ ପଡ଼ିଥିଲା ଏହି ଶିଶୁ ବୈଜ୍ଞାନିକମାନଙ୍କୁ ।
ଜୁନ୍ ୨୪ରେ ନାସା ପକ୍ଷରୁ ମହାକାଶକୁ ପ୍ରେରଣ ହେବାକୁ ଥିବା ରକେଟ୍ ଏସ୍ଆର୍-7 ଜରିଆରେ ମହାକାଶକୁ ଯିବ ସେମାନଙ୍କ ଏକ୍ସପେରିମେଣ୍ଟ୍। ନାସା ଦ୍ୱାରା ମହାକାଶ ମିଶନ ପାଇଁ ଏହି ଏକ୍ସପେରିମେଣ୍ଟ ଚୟନ ହେବାପରେ ଟିମ୍ର ଛାତ୍ରଛାତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଏଥିରୁ ସେମାନଙ୍କୁ ମହାକାଶ ଗବେଷଣା ସମ୍ପର୍କରେ ଅନେକ କିଛି ଶିଖିବାକୁ ମିଳିଛି ବୋଲି ଛାତ୍ରଛାତ୍ରୀ କହିଛନ୍ତି। ନାସା ପକ୍ଷରୁ ଆୟୋଜିତ କ୍ୟୁବ୍ସ୍ ଇନ୍ ସ୍ପେସ୍ ପ୍ରତିଯୋଗିତାରେ ୭୩ଟି ଦେଶର ପ୍ରତିଯୋଗୀଙ୍କ ମଧ୍ୟରେ ଓଡ଼ିଆ ଛାତ୍ରଛାତ୍ରୀ ନିଜର ସ୍ଥାନ ହାସଲ କରି ଓଡିଶାକୁ ଗର୍ବିତ କରିଛନ୍ତି ଓଡିଆ ଛାତ୍ରଛାତ୍ରୀ ।