ସନଷ୍ଟାର ଟିଭି ବ୍ୟୁରୋ
କନ୍ଧମାଳ: ଭେଣ୍ଟିଲେଟରରେ ଥାଇ ଶିଶୁ କନ୍ୟାକୁ ଜନ୍ମ ଦେଲେ କରୋନା ରୋଗୀ । କନ୍ଧମାଳ ଜିଲ୍ଲା କୋଭିଡ୍ ହସ୍ପିଟାଲରେ ଏହି ଘଟଣା ଘଟିଛି । ତେବେ ମା’ ଓ ଶିଶୁ ଉଭୟ ସୁସ୍ଥ ରହିଥିବାରୁ ପରିବାର ଲୋକ ଓ ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ବେଶ୍ ଖୁସି ଅଛନ୍ତି ।
ଫୁଲବାଣୀ ବ୍ଲକ୍ର କଟ୍ରିଙ୍ଗିଆ ପଞ୍ଚାୟତର କିଲୁପାଙ୍ଗା ଗ୍ରାମର ଏହି ୩୮ ବର୍ଷୀୟା ଗର୍ଭବତୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେବାରୁ ତାଙ୍କୁ ଭେଣ୍ଟିଲେଟର୍ ସପୋର୍ଟରେ ରଖା ଯାଇଥିଲା । ଏପରିକି ତାଙ୍କର ଏସ୍ପିଓ ୨ ଲେବଲ୍ ୫୫ ପ୍ରତିଶତ ହୋଇ ଯାଇଥିଲା । ଏଭଳି ଜଟିଳ ସ୍ଥିତିରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନେ ଅକ୍ଳାନ୍ତ ପରିଶ୍ରମ କରି ତାଙ୍କ ଚିକିତ୍ସା ଚଳାଇଥିଲେ । ଗତକାଲି ରାତି ୧୨ଟା ବେଳେ ତାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା ଏବଂ ଡାକ୍ତରମାନେ ସଫଳ ଅସ୍ତ୍ରୋପଚାର କରିଥିଲେ। ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି । ମା’କୁ ଆଇସିୟୁରେ ରଖା ଯାଇଥିବା ବେଳେ ଶିଶୁକୁ ଏସ୍ଏନ୍ସିୟୁରେ ରଖାଯାଇଛି । ଡାକ୍ତରମାନେ ନିୟମିତ ମା’ ଓ ଶିଶୁଙ୍କର ସ୍ବାସ୍ଥ୍ୟ ଯାଞ୍ଚ୍ କରୁଛନ୍ତି। ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସତ୍ୟ ନାରାୟଣ ସାମଲ ଏବଂ ଷ୍ଟାଫ୍ ନର୍ସ ବିଜେତା ଦିଗାଲଙ୍କ ସହଯୋଗରେ ସମ୍ପୃକ୍ତ ମହିଳାଙ୍କ ସୁରକ୍ଷିତ ପ୍ରସବ ସମ୍ଭବ ହୋଇପାରିଛି । ସେଥି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମଧ୍ୟ ଦିଆଯାଇଛି ।