ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଡ଼ିଶାବାସୀଙ୍କୁ ସର୍ବଶ୍ରେଷ୍ଠ ଚିକିତ୍ସା ଯୋଗାଇବା ପାଇଁ ଓ ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୮୫୦୦ କୋଟି ଟଙ୍କା ବିନିଯୋଗ କରିଛନ୍ତି । ଆଉ ମଧ୍ଯ ଭର୍ଚୁଆଲ ବୈଠକ ମାଧ୍ୟମରେ ନବନିଯୁକ୍ତ ୭୮୬ ଡାକ୍ତରଙ୍କ ସହ ଆଲୋଚନା କରିବା ଡାକ୍ତରମାନଙ୍କର ଭୂୟସୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଏହି ମହାମାରୀ ସମୟରେ ଜନସାଧାରଣଙ୍କ ଲାଗି ଦେବଦୂତ ସାଜିଛନ୍ତି ଡାକ୍ତର । ସେମାନଙ୍କ ସ୍ପର୍ଶରେ ରୋଗୀ ନୂଆ ଜୀବନ ପାଉଛି । ଡାକ୍ତରମାନଙ୍କ ପାଇଁ ଆମ ମନରେ ଅନେକ ସମ୍ମାନ ରହିଛି । ଜୀବନ ସଂଘର୍ଷ ସମୟରେ ଡାକ୍ତରଙ୍କୁ ଲୋକେ ଈଶ୍ବର ସହିତ ତୁଳନା କରୁଛନ୍ତି । ସାମ୍ପ୍ରତିକ କୋଭିଡ଼ ପରିସ୍ଥିତିରେ ଡାକ୍ତରଙ୍କୁ ସମୂଖ ଯୋଦ୍ଧା ଭାବେ ବିବେଚନା କରାଯାଇଛି । କୋଭିଡ଼ ମହାମାରୀ ସମଗ୍ର ବିଶ୍ବ ସମେତ ଓଡ଼ିଶା ଉପରେ ଗଭୀର ପ୍ରଭାବ ପକାଇଛି । ଆମ ସ୍ବାସ୍ଥ୍ୟ ସେବା ଉପରେ ବହୁତ ଚାପ ରହିଛି । ଆମର ଭିତ୍ତିଭୂମି, ମାନବସମ୍ବଳ ଓ ଚିକିତ୍ସା ଉପକରଣ ଯୋଗାଣ ପ୍ରଭାବିତ ହୋଇଛି । ଏହା ସତ୍ତ୍ବେ ଉତ୍ସର୍ଗୀକୃତ ସ୍ବାସ୍ଥ୍ୟକର୍ମୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଆମେ ଅନେକ ମୂଲ୍ୟବାନ୍ ଜୀବନ ରକ୍ଷା କରିପାରିଛୁ । ଏବେ ଯଦିଓ ସଂକ୍ରମଣ ହାର କମୁଛି ତଥାପି ଆମକୁ ଅତ୍ୟନ୍ତ ସାବଧାନ ରହିବାକୁ ପଡ଼ିବ । ଦ୍ଵିତୀୟ ଲହର ଯୋଗୁଁ ଦେଖା ଦେଇଥିବା ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଆପଣମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।
ରାଜ୍ୟର ଦୁର୍ଗମ ଓ ବିଛିନ୍ନାଞ୍ଚଳରେ ନିଯୁକ୍ତ ହୋଇଥିବା ଅନେକ ଡାକ୍ତର ସରକାରୀ କାର୍ଯ୍ୟରୁ ଉର୍ଦ୍ଧ୍ବକୁ ଯାଇ ଲୋକଙ୍କ ସେବା କରୁଛନ୍ତି । ଏପରି ଡାକ୍ତରଙ୍କ ଉତ୍ସର୍ଗୀକୃତ ସେବା ମନୋଭାବରେ ପ୍ରେରିତ ହୋଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।