ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଜାରି ହୋଇଥିବା ଲକଡାଉନ, ସଟଡାଉନ ବେଶ୍ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ତେବେ ରାଜ୍ୟରେ କରୋନା ପାଇଁ ଲାଗୁ ହୋଇଥିବା ଲକଡାଉନ ଆସନ୍ତାକାଲି ସକାଳ 5ଟାରେ ଶେଷ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଆଗକୁ ଲକଡାଉନ, ସଟଡାଉନ ବଳବତ୍ତର ରହିବ ନା ଅନଲକ ପ୍ରକ୍ରୀୟା ଆରମ୍ଭ ହେବ ଏନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ପ୍ରେସ କନଫରେନ୍ସରେ ଏନେଇ ସୂଚନା ଦେଇଛନ୍ତି ସୁରେଶ ମହାପାତ୍ର ।
ନୂତନ ଗାଇଡଲାଇନ
ଆସନ୍ତାକାଲି ଅର୍ଥାତ୍ ସକାଳ 5 ଟାଠାରୁ ଜୁଲାଇ 1 ସକାଳ 5ଟା ଯାଏଁ ଆଂଶିକ କଟକଣା ଲାଗୁ କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାକୁ ଦୁଇଟି କାଟାଗୋରୀରେ ବିଭକ୍ତ କରାଯାଇଛି । A କାଟାଗୋରୀରେ କରୋନା ସଂକ୍ରମଣ 5 ପ୍ରତିଶତ ତଳେ ଥିବା 17 ଟି ଜିଲ୍ଲା ରହିଥିବା ବେଳେ ଅନ୍ୟ 13ଟି ଜିଲ୍ଲାକୁ କାଟାରୋଗୀ Bରେ ବିଭକ୍ତ କରାଯାଇଛି । ରାଜ୍ୟ 17ଟି ସୁନ୍ଦରଗଡ, ସମ୍ୱଲପୁର, ବଲାଙ୍ଗିର, କୋରାପୁଟ, ଗଞ୍ଜାମ, କନ୍ଧମାଳ ଆଦି ଜିଲ୍ଲାରେ କଟକଣା କୋହଳ କରାଯାଇଛି । ପଶ୍ଚିମ ଓ ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକରେ ସୋମବାରରୁ ଶୁକ୍ରବାର ସକାଳ 7ଟାରୁ ସନ୍ଧ୍ୟା 5 ଟା ଯାଏଁ ସମସ୍ତ ଦୋକାନ ବଜାର ଖୋଲା ରହିବ । ତେବେ ପୂର୍ବରୁ ବନ୍ଦ ଥିବା ସେଲୁନ, ମଲ୍ , ପାର୍ଲର,ଜିମ ଆଗପରି ବନ୍ଦ ରହିବ ।
ଅନ୍ୟ 13 ଟି ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ,କେନ୍ଦୁଝରରେ ସକାଳ 6ଟାରୁ ଦିନ 1 ଟା ଯାଏଁ କେବଳ ଆବଶ୍ୟକୀୟ ଦୋକାନ ବଜାର ଖୋଲା ରହିବ । ଏହି ସମୟରେ ମିଠା ଦୋକାନ ଗୁଡିକ ଖୋଲା ରହିବ । ରାସ୍ତା କଡର ଖାଇବା ଦୋକାନ ମଧ୍ୟ ଖୋଲା ରହିବ । ତେବେ କେବଳ ପାର୍ସଲ ଦିଆଯିବ । ସାଇକେଲ ଓ ଗାଡି ଗ୍ୟାରେଜ ଗୁଡିକ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି ।
ରାଜ୍ୟରେ ସକାଳ 6 ଟାରୁ 9 ଟା ଯାଏଁ ଜନସାଧାରଣ ମର୍ଣ୍ଣିଙ୍ଗ ଓ୍ୱାର୍କ, ସାଇକେଲିଙ୍ଗ୍, ଜଙ୍ଗିଙ୍ଗ କରିବା ପାଇଁ ଅନୁମତି ଦିଆଯାଇଛି । ତେବେ ପାର୍କ ବନ୍ଦ ରହିବ । ଓ୍ୱିକେଣ୍ଡ ସଟଡାଉନ ଓ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ପୂର୍ବରୁ ଲାଗୁ ହୋଇଥିବା ବିବାହ କଟକଣା ଏବେ ମଧ୍ୟ ଲାଗୁ କରାଯିବ । ସାରା ରାଜ୍ୟରେ ମନ୍ଦିର, ସୁଇମିଙ୍ଗପୁଲ୍, ଯାତ୍ରା, ସିନେମା ହଲ, ପବ୍ଲିକ ବସ୍, ଶିକ୍ଷାନୁଷ୍ଠାନ, କୋଚିଙ୍ଗ କ୍ଲାସ ବନ୍ଦ ରହିବ । ଅଫିସଗୁଡିକରେ 50 ପ୍ରତିଶତ କର୍ମଚାରୀ କାମ କରିପାରିବେ ।