ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ମହାମାରୀକୁ ପ୍ରତିହତ କରିବାକୁ ସାରା ଦେଶରେ ଚାଲିଛି ଟିକାକରଣ ଅଭିଯାନ ।ବର୍ତ୍ତମାନ ସୁଦ୍ଧା 26 କୋଟି ଲୋକଙ୍କୁ କୋଭିଡ ଟିକା ଦିଆଯାଇସାରିଲାଣି ।ତେବେ ପ୍ରଥମ ଥର ପାଇଁ ଟିକା ନେବାରୁ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସରକାରୀ ପ୍ୟାନାଲ ଆଣ୍ଟି କୋଭିଡ ଟୀକାକରଣ ପରେ ସାମ୍ନାକୁ ଆସିଥିବା 31 ଗୁରୁତର ମାମଲାର ଯାଞ୍ଚ କରିଛି । ଏଥିରୁ କେବଳ ଜଣଙ୍କର ମୃତ୍ୟୁ ଟୀକାକରଣ କାରଣରୁ ହୋଇଥିବା ଯାଞ୍ଚରେ ସ୍ପଷ୍ଟ ହୋଇଛି । ଟୀକାକରଣ ପରେ ହେଉଥିବା ସମସ୍ୟାକୁ AEFI ଅର୍ଥାତ ଆଡଭର୍ସ ଇଭେଣ୍ଟ ପଲୋଇଙ୍ଗ ଇମ୍ୟୁନାଇଜେସନ କୁହାଯାଏ । ଏଥିପାଇଁ ସରକାର କମିଟି ମଧ୍ୟ ଗଠନ କରିଛନ୍ତି ।
ଏକ ରିପୋର୍ଟ ଅନୁଯାୟୀ, 8 ମାର୍ଚ୍ଚ 2021ରେ ଟୀକାକରଣ ପରେ 68 ବର୍ଷୀୟ ଜଣେ ବ୍ୟକ୍ତିର ଏନାଫିଲୋକ୍ସିସ ଯୋଗୁଁ ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁର କାରଣ ଟିକାକରଣ ଅଟେ ବୋଲି ସରକାରଙ୍କ ଦ୍ୱାରା ଗଠିତ କମିଟିର ଅଧ୍ୟକ୍ଷ ଡାକ୍ତର ଏନକେ ଆରୋରା ସ୍ପଷ୍ଟ କରିଛନ୍ତି । ତାଙ୍କ ସୂଚନା ଅନୁଯାୟୀ, ରୋଗୀ ଶରୀରରେ ଏନାଫିଲେକ୍ସିସ ମିଳିଥିଲା । 3ଟି ମାମଲା ଭ୍ୟାକ୍ସିନ ଉତ୍ପାଦ ସହ ଜଡିତ । ଭ୍ୟାକ୍ସିନ ଉତ୍ପାଦ ସହ ଜଡିତ ପାର୍ଶ୍ବ ପ୍ରତିକ୍ରିୟା ହୋଇପାରେ, ଯାହାର କାରଣ ଟୀକାକରଣ ବୋଲି କୁହାଯାଉଛି । ଏହି ପାର୍ଶ୍ବ ପ୍ରତିକ୍ରିୟାରେ ଆଲର୍ଜୀ ଓ ଏନାଫିଲେକ୍ସିସ ସାମିଲ ରହିଛି । ଯାହା ମୃତ୍ୟୁର କାରଣ ଅଟେ ।