ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଏଣିକି ଅକ୍ସିଜେନ, ବ୍ଲାକ୍ ଫଙ୍ଗସ୍ ମେଡିସିନ, ଓ ଅନ୍ୟାନ୍ୟ କରୋନା ସହ ଜଡିତ ସାମଗ୍ରୀ ଗୁଡିକ ଶସ୍ତାରେ ମିଳିବ । କାରଣ କରୋନା ମହାମାରୀ ପାଇଁ ବ୍ୟବହୃତ ସାମଗ୍ରୀ ଉପରେ ଟିକସ ଛାଡ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଜିଏସଟି ପରିଷଦ ବୈଠକରେ ଏନେଇ ନିଷ୍ପତି ନିଆଯାଇଛି । ଏହି ବୈଠକରେ ବ୍ଲାକ୍ ଫଙ୍ଗସ୍ ମେଡିସିନ ଉପରେ କର ସଂପୂର୍ଣ୍ଣ ରୂପେ ଛାଡ କରିବା ପାଇଁ ଅର୍ଥମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ଅନ୍ୟାନ୍ୟ ସାମଗ୍ରୀ ଉପରୁ ମଧ୍ୟ କର ହଟାଇଛନ୍ତି । ମେଡିକାଲ ଗ୍ରେଡ୍ ଅକ୍ସିଜେନ, ଭେଣ୍ଟିଲେଟର, ବାଇପେପ୍ ମେସିନ, HFNC, କୋଭିଡ୍ ଟେଷ୍ଟିଙ୍ଗ କିଟ୍ ଏବେ ଶସ୍ତା ହେବ । ଏସବୁ ସାମଗ୍ରୀ ଉପରେ ପୂର୍ବରୁ 12 % ଟିକସ ଆଦାୟ ହେଉଥିବା ବେଳେ ବର୍ତ୍ତମାନ 5% କର ଆଦାୟ କରାଯିବ ବୋଲି ନିଷ୍ପତି ନିଆଯାଇଛି ।
ତେବେ କରୋନା ଭ୍ୟାକସିନ ଉପରେ କିନ୍ତୁ ଏହି ବୈଠକର କୌଣସି ପ୍ରଭାବ ପଡିନାହିଁ । କାରଣ ପୂର୍ବ ଭଳି ଏବେ ମଧ୍ୟ ଭ୍ୟାକସିନ ଉପରେ 5 % ଟ୍ୟାକ୍ସ ଆଦାୟ କରାଯିବ ।
ତେବେ ଏହି ସବୁ ସାମଗ୍ରୀ ଉପରେ 30 ସେପ୍ଟମ୍ୱର 2021 ପର୍ଯ୍ୟନ୍ତ ନୂତନ ଟିକସ ଲାଗୁ କରାଯିବ । ଏନେଇ କାଲି ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।