ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ କୃଷକମାନେ ଛଅ ମାସ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଆନ୍ଦୋଳନକୁ ଜୁନ ୨୬ ତାରିଖରେ ୭ ମାସ ପୂରଣ ହେବାକୁ ଯାଉଛି । ଏହି ଦିନ କୃଷକମାନେ ନିଜ ଆନ୍ଦୋଳନକୁ ବ୍ୟାପକ କରିବାକୁ ଯାଉଛନ୍ତି । ୨୬ ତାରିଖରେ ସାରା ଦେଶରେ ରାଜଭବନ ଆଗରେ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛନ୍ତି । କୁଣ୍ଡଲୀ ସୀମାରେ ଆୟୋଜିତ ଏକ ବୈଠକରେ ଏନେଇ ନିଷ୍ପତି ଗ୍ରହଣ କରାଯାଇଛି ବୋଲି କୃଷକ ନେତା ଇନ୍ଦ୍ରଜିତ୍ ସିଂ କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେ, ଜୁନ ୨୪ ତାରିଖରେ ସନ୍ଥ କବୀରଙ୍କର ଜୟନ୍ତୀ ପାଳନ କରାଯିବ ଓ ୨୬ ତାରିଖରେ ସାରା ଦେଶରେ ରାଜଭବନ ଆଗରେ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ।
ଜୁନ ୨୬ ତାରିଖକୁ କ୍ଷେତ ବଞ୍ଚାଅ ଓ ଲୋକତନ୍ତ୍ର ବଞ୍ଚାଅ ଦିବସ ପାଳନ କରାଯିବ । ଏହି କ୍ରମରେ ସାରା ଦେଶରେ ପ୍ରତି ରାଜ୍ୟର ରାଜଭବନ ଆଗରେ ଆନ୍ଦୋଳନରତ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିବେ । ଏହାସହ ରାଷ୍ଟ୍ରପତିଙ୍କ ଉର୍ଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ । ଅନ୍ୟପଟେ କୃଷକ ଆନ୍ଦୋଳନରେ ଶହ ଶହ ମହିଳା ଯୋଗ ଦେଉଥିବାରୁ ତାଙ୍କୁ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ ବୋଲି କୃଷକ ନେତା ମାନେ କହିଛନ୍ତି ।