ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ । ତେବେ ଖୁବଶୀଘ୍ର ଜେଲରୁ ପଦାକୁ ଆସିବେ ପ୍ରଦୀପ ପାଣିଗ୍ରାହୀ । ହାଇକୋର୍ଟ 28 ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ସର୍ତ୍ତମୂଳକ ବେଲ୍ ପ୍ରଦାନ କରିଛି । ପୂର୍ବରୁ କ୍ରାଇମବ୍ରାଞ୍ଚ ମାମଲା ସମେତ ୫ଟି ମାମଲାରେ ଜାମିନ ପାଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆଜି ବୈଦନାଥପୁରର ଦୁଇଟି କେସରେ ସେ ହାଇକୋର୍ଟରୁ ବେଲ୍ ପାଇଛନ୍ତି ।
ସୂଚନାଯୋଗ୍ୟ, ବେଆଇନ ଅର୍ଥ କାରବାର ଓ ଚାକିରୀ ଜାଲିଆତି ନେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ୨୦୨୦ ଡିସେମ୍ବର ୩ରେ ଗିରଫ କରିଥିଲା । ଦଫା ୪୧୯, ୪୨୦, ୪୬୭, ୪୬୮,୪୬୯, ୪୭୧, ୧୨୦ ‘ବି’ ରେ ମାମଲା ରୁଜୁ କରାଯାଇଥିଲା । ଟାଟା କମ୍ପାନୀରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ପ୍ରମାଣ ଥିବା ଦର୍ଶାଇ ପ୍ରଦୀପଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା । ଠକେଇ, ଜାଲିଆତି, ସାଇବର ଅପରାଧରେ ତାଙ୍କୁ ଗିରଫ କରାଯାଇଥିଲା । ଏବେ ତାଙ୍କୁ ସମସ୍ତ କେସରେ ବେଲ ମିଳିଛି ।