ସନଷ୍ଟାର ଟିଭି ବ୍ୟୁରୋ
କଟକ: ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ପ୍ରମୂଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟ ଓ କାର୍ଯ୍ୟକାରିତା ସମ୍ବନ୍ଧରେ ରିଭ୍ୟୁ ଭି.ସି. ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ରିଭ୍ୟୁ ମିଟିଂରେ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ, ଶ୍ରୀ ଚିନ୍ମୟ କୁମାର ସାହୁ, ଶିଳ୍ପ ନିର୍ଦ୍ଦେଶକ,ମହମ୍ମଦ୍ ସିଦ୍ଦିକ୍ ଆଲାମ୍, ଆଇ.ଏ.ଏସ୍., ଅତିରିକ୍ତ ସଚିବ,ଏମ୍.ଏସ୍.ଏମ୍.ଇ. ବିଭାଗ, ଶ୍ରୀ ଉଦୟନାଥ ଦାସ, ଆଇ.ଏ.ଏସ୍., ସ୍ୱତନ୍ତ୍ର ସଚିବ, ଏମ୍.ଏସ୍.ଏମ୍.ଇ. ବିଭାଗ, ଶ୍ରୀ ମନ୍ମଥ ବିଶ୍ୱାଳ, ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ପ୍ରଦୀପ୍ତ କୁମାର ସାହାଣି ଏବଂ ନିଗମର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ନିଗମର ଅଧ୍ୟକ୍ଷ, ଶ୍ରୀ ଚିନ୍ମୟ କୁମାର ସାହୁ ଜଣାଇଥିଲେ ଯେ, ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରାୟ ୬୧୫ କୋଟି ଟଙ୍କାର ବ୍ୟବସାୟ ସର୍ବକାଳୀନ ରେକର୍ଡ କରିଛି, ଯାହାକି ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୭% ଅଧିକ ବ୍ୟବସାୟ କରିପାରିଛି । ନିଗମର ବିଭିନ୍ନ ବିଭାଗର କାର୍ଯ୍ୟକାରିତାର ପୁଂଖାନୁପୁଂଖ ଆଲୋଚନା ପରେ ବିଭାଗର ପ୍ରମୁଖ ଶାସନ ସଚିବ ବ୍ୟବସାୟର ଗୁଣାତ୍ମକ ଅଭିବୃଦ୍ଧିକୁ ଆହୁରି ବୃଦ୍ଧି କରିବା ପାଇଁ ବିଭାଗ ତରଫରୁ ଯାହା ସବୁ ସହଯୋଗ ଆବଶ୍ୟକ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ତତ୍ ସଙ୍ଗେସଙ୍ଗେ ନିଗମର ବିଟୁମିନ୍ ବ୍ୟବସାୟର ତ୍ୱରିତ ଅଭିବୃଦ୍ଧି ଆଣିବା ପାଇଁ ସେହି ମିଟିଂ ଅବଧିରେ ପୂର୍ତ ସଚିବ, ଶ୍ରୀ କିଷନ୍ କୁମାର, ଆଇ.ଏ.ଏସ୍. ଏବଂ ପୂର୍ତ ୨ ବିଭାଗର ଇ.ଆଇ.ସି.ଙ୍କ ସହ ଆଲୋଚନା କରିଥିଲେ । ବର୍ତମାନର ବିଟୁମିନ୍ ବ୍ୟବସାୟ ପରିମାଣ ପ୍ରାୟ ୨୦ କୋଟି ଟଙ୍କାରୁ ୧୫୦ କୋଟି ଟଙ୍କାରେ ପହଂଚାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏହାଛଡା ନିଗମ ବ୍ୟବସାୟ କରୁଥିବା କୃଷି ଯନ୍ତ୍ରପାତିର ବିକ୍ରିରେ ସ୍ଥାଣୁତା ପରିଲିଖିତ କରି କୃଷି ନିର୍ଦ୍ଦେଶକ ଶ୍ରୀ ମୁଥୁ କୁମାର, ଆଇ.ଏ.ଏସ୍. ଙ୍କ ସହ ଏହି ଭି.ସି. ମାଧ୍ୟମରେ କଥାହୋଇ ନିଗମକୁ ରାଜ୍ୟରେ ଆବଶ୍ୟକ ହେଉଥିବା କୃଷି ଯନ୍ତ୍ରପାତିର ଅନ୍ତତଃ ପକ୍ଷେ ୨୫ ପ୍ରତିଶତ କ୍ଷୁଦ୍ର ଶିଳ୍ପ ନିଗମ ଜରିଆରେ ଯୋଗାଇ ଦେବାପାଇଁ ଅନୁରୋଧ କରିଥିଲେ । ଏହା ଦ୍ୱାରା ନିଗମ ପ୍ରାୟ ୫୦ କୋଟି ଟଙ୍କାର କୃଷି ଯନ୍ତ୍ରପାତିର ବ୍ୟବସାୟ ଚଳିତ ଆର୍ଥିକ ବର୍ଷରେ କରିପାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଥିଲା । ଓଡିଶାର ଅଣୁ, କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗ ଶିଳ୍ପ ଗୁଡିକୁ ପ୍ରୋତ୍ସାହିତ କରିବାପାଇଁ ଏବଂ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସମାଗ୍ରୀ ଗୁଡିକୁ ବିକ୍ରି କରାଇବା ପାଇଁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ନିଗମ ପାଇଁ ସରକାର ବଜେଟ୍ରେ ଆର୍ଥିକ ବ୍ୟବସ୍ଥା ମଧ୍ୟ କରିଥିବା କଥା ଜଣାଇଲେ । ଅଧ୍ୟକ୍ଷ ଶ୍ରୀ ଚିନ୍ମୟ କୁମାର ସାହୁ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ସାମଗ୍ରୀର ମାନବୃଦ୍ଧି ତଥା ସେମାନଙ୍କର ବ୍ୟବସାୟର ଅଭିବୃଦ୍ଧି ପାଇଁ ଏକ ପ୍ଲାଟ୍ଫର୍ମ ଯୋଗାଇବା ପାଇଁ ନିଗମର ଆଗାମି ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ ।ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟକୁ ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ୧୦୦୦ କୋଟି ଟଙ୍କାରେ ପହଂଚାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୋଜନାକୁ ଫଳପ୍ରଦ କରିବାକୁ ବିଭାଗର ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।