ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ବିତୀୟ ଲହର ପ୍ରଭାବ ଧିରେ ଧିରେ ହ୍ରାସ ପାଉଥିବା ନେଇ ଆଶ୍ବସ୍ତୀକର ଖବର ସାମ୍ନାକୁ ଆସିଥିବା ବେଳେ ସେପ୍ଟେମ୍ବର ଓ ଅକ୍ଟୋବର ମାସ ବେଳକୁ ପୁଣି ଚିନ୍ତା ବଢିବାକୁ ଯାଉଛି । କାରଣ ସେପ୍ଟେମ୍ବର ଓ ଅକ୍ଟୋବର ମାସ ବେଳକୁ ତୃତୀୟ ଲହର ଆସିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ଛୁଆଙ୍କ ଚିକିତ୍ସା ଅନ୍ୟ ରୋଗୀଙ୍କ ଠାରୁ ଭିନ୍ନ ଥିବାରୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ବୋଲି ମଧ୍ୟ ସେ କହିଛନ୍ତି ।
ତେବେ ତୃତୀୟ ଲହର ଆସିବା ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ମେଡିକାଲ କଲେଜ ପର୍ଯ୍ୟନ୍ତ ୧୧୧୪ ଡାକ୍ତର ଓ ୧୦୩୬ ସ୍ୱାସ୍ଥ୍ୟକର୍ମୀଙ୍କୁ ଶିଶୁ କୋଭିଡ ରୋଗୀଙ୍କ ତାଲିମ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଏହା ସହିତ ତୃତୀୟ ଲହରର ମୁକାବିଲା ପାଇଁ ୩୦୦୦ ବେଡ୍, ୨୩୯୦ ଆଇସୋଲେସନ ବେଡ୍, ୬୧୦ ICU ବେଡ୍ ପ୍ରସ୍ତୁତ ରଖାଯାଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ୩ୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କରିଛୁ । ଏବେଠୁ ଡାକ୍ତରଙ୍କୁ ଟ୍ରେନିଂ ଦେଉଛୁ । ଶିଶୁଙ୍କ ପାଇଁ ଜେନେରାଲ ଓ ICU ବେଡ୍ ପ୍ରସ୍ତୁତ ରଖିଛୁ । ତେବେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ କହିଛନ୍ତି ଶିଶୁ ବିଶେଷ ପ୍ରଭାବିତ ହେବେ ନାହିଁ। ତେଣୁ ଏଥିପ୍ରତି ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି ।