ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କରୋନା ମହାମାରୀର ଦୃଢ ମୁକାବିଲା ସହ ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏଥିରେ ବିଭିନ୍ନ ପ୍ରମୁଖ ହସ୍ପିଟାଲରେ ଅକ୍ସିଜେନ୍ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ସହ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ କରାଯିବ ।ତେବେ ଏଥିସହିତ କଟକ ଏସସିବି ପରିସରରେ ପ୍ରତିଷ୍ଠା ହୋଇଥିବା ପୂର୍ବ ଭାରତର ପ୍ରଥମ ଫୁସଫୁସ ଜନିତ ମେଡ଼ିସିନ ଉତ୍କର୍ଷ କେନ୍ଦ୍ରକୁ ମଧ୍ୟ ଆଜି ଉଦଘାଟନ କରିବେ । ଏହାସହ ବିଭିନ୍ନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ ।
ଫୁସଫୁସ ଜନିତ ରୋଗରେ ଚିକିତ୍ସା ପାଇଁ ରାଜ୍ୟର ରୋଗୀ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି । ଏହି ଫୁସଫୁସ ଜନିତ ମେଡ଼ିସିନ ଉତ୍କର୍ଷ କେନ୍ଦ୍ରର ଆବଶ୍ୟକତା କୋଭିଡର ଦ୍ଵିତୀୟ ଲହରରେ ଅନୁଭୂତ ହୋଇଛି । ଫୁସଫୁସ ଜନିତ ମେଡ଼ିସିନ ଉତ୍କର୍ଷ କେନ୍ଦ୍ର ଯୋଗୁଁ ରାଜ୍ୟ ତଥା ରାଜ୍ୟ ବାହାର ରୋଗୀମାନେ ଉପକୃତ ହୋଇପାରିବେ । ଓଡିଶାକୁ ଉତ୍କର୍ଷ କେନ୍ଦ୍ର କରିବା ଯୋଜନାରେ ଅତ୍ୟାଧୁନିକ ରିସର୍ଚ୍ଚ ଏକାଡେମୀ, ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ୍ ପ୍ରକଳ୍ପରେ କରାଯାଇଛି । ୧୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଇଥିବା ଏହା ପୂର୍ବ ଭାରତର ପ୍ରଥମ ଫୁସଫୁସ ଜନିତ ମେଡ଼ିସିନ ଉତ୍କର୍ଷ କେନ୍ଦ୍ର ହେବାକୁ ଯାଉଛି ।
ଏହାସହ ବାଲେଶ୍ବର ଫକୀର ମୋହନ ମେଡ଼ିକାଲ କଲେଜ ଓ ହସ୍ପିଟାଲ, କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ, ବୁର୍ଲା ବୀର ସୁରେନ୍ଦ୍ର ସାଏ ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠାନ, ଭୁବନେଶ୍ୱର କ୍ୟାପଟେଲ ହସ୍ପିଟାଲ, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଆନୁସଙ୍ଗିକ ବ୍ୟବସ୍ଥାର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।