ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଉନ୍ନତିକରଣ ପାଇଁ ରୂପରେଖ ପ୍ରସ୍ତୁତ କରିବା ନିମନ୍ତେ ଗଠିତ ପ୍ରକଳ୍ପ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ବିଶିଷ୍ଟ କର୍ପୋରେଟ ଲିଡର ଡ. ସଂତୃପ୍ତ ମିଶ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ମନୋନୀତ କରିଛନ୍ତି । କମିଟିରେ ବିଶିଷ୍ଟ ସ୍ଥପତି ପଦ୍ମ ବିଭୂଷଣ ଡ. ସୁଦର୍ଶନ ସାହୁ ବି ରହିଛନ୍ତି । ଏହି କମିଟିରେ ପୂର୍ତ୍ତ ବିଭାଗ ସଚିବ ଡା. କ୍ରିଷନ କୁମାରଙ୍କ ସହ ଦେବୋତ୍ତର କମିଶନର, ଆରଡିସି, ବିଏମ୍ସି କମିଶନର, ଏଏସଏଆଇ ଅଧୀକ୍ଷକ, ଆଇନ ବିଭାଗର ଅତିରିକ୍ତ ସଚିବ(ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ଦାୟିତ୍ୱ), ଭୁବନେଶ୍ୱର ଡିସିପି, ସଂସ୍କୃତି ବିଭାଗ କିମ୍ବା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ନିର୍ଦ୍ଦେଶକ, ଖୋର୍ଦ୍ଧା ଜିଲ୍ଲାପାଳ ଅଛନ୍ତି । ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ପରିଚାଳନା ନିର୍ଦ୍ଦେଶକ କମିଟିର ଆବାହକ ରହିଛନ୍ତି । କମିଟିରେ ମନ୍ଦିର ସେବାୟତଙ୍କ ମଧ୍ୟରୁ ୩ଜଣ ରହିବେ । ସଂସ୍କୃତି ଏବଂ ଐତିହ୍ୟ କ୍ଷେତ୍ରରେ ସୁନାମଧନ୍ୟ ଦୁଇ ଜଣଙ୍କୁ ରାଜ୍ୟ ସରକାର ମନୋନୀତ କରିବେ । ସେହିପରି ଐତିହ୍ୟ, କୀର୍ତ୍ତିରାଜି ସଂରକ୍ଷଣରେ ଅଭିଜ୍ଞ ଓ ଦକ୍ଷତା ଥିବା ୨ଜଣଙ୍କୁ କମିଟିରେ ରଖାଯିବ । ଏକାମ୍ର ଯୋଜନା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ଏହି କମିଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ । ପ୍ରକଳ୍ପର ବିଭିନ୍ନ ଦିଗକୁ କମିଟି ଅନୁଧ୍ୟାନ କରିବ । ପ୍ରକଳ୍ପ ବାବଦରେ ଆବଶ୍ୟକୀୟ ପରାମର୍ଶ ଦେବ । ପ୍ରକଳ୍ପ କାର୍ଯ୍ୟକାରୀ ହେବା ପାଇଁ ନିର୍ମାଣକାରୀ ସଂସ୍ଥା ଓ ବିଭାଗକୁ ବାଟ ଦେଖାଇବ ଏହି କମିଟି । ନିୟମିତ ବ୍ୟବଧାନରେ କମିଟି ବୈଠକ ବସିବ । ଏଥିରେ ପ୍ରକଳ୍ପ ବାବଦରେ ଆଲୋଚନା ହେବ ।
ତେବେ ଯୋଜନାରେ ଲିଙ୍ଗରାଜ ମନ୍ଦିର ଚାରିପାଖର ମୋଟ ୮୦ ଏକର ଅଞ୍ଚଳର ବିଶ୍ବସ୍ତରୀୟ ଉନ୍ନତିକରଣ କରାଯିବା ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।