ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ମେ ମାସରେ ଦୈନିକ ସଂକ୍ରମଣ ୧୨ ହଜାର ଛୁଇଁଥିବା ବେଳେ ଏବେ ଏହା ତଳକୁ ଖସି ୫ ହଜାରରେ ପହଞ୍ଚିଛି । ତେବେ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର ଗ୍ରୀନ ଜୋନରେ ଥିବା ଜିଲ୍ଲା ଗୁଡିକରେ କରୋନା କଟକଣା କୋହଳ କରିବାକୁ ଚିନ୍ତା କରୁଛନ୍ତି ବୋଲି ସୂଚନା ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ସମୀକ୍ଷା ବୈଠକ ଆୟୋଜନ ହେବା ସମ୍ଭାବନା ରହିଛି । ଏହି ସମୀକ୍ଷା ପରେ ରାଜ୍ୟ ସରକାର ୯ ଜିଲ୍ଲା ପାଇଁ କୋହଳ ନୀତି ଘୋଷଣା କରିପାରନ୍ତି ।
ପୂର୍ବରୁ ଗଜପତି, ନୂଆପଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ହାର କମୁଥିବା ହେତୁ ଲକଡାଉନ୍ ବ୍ୟବସ୍ଥାରେ କୋହଳ କରାଯାଇଥିଲା । ଏଠାରେ ଦିନ ୧ଟା ଯାଏ ଦୋକାନ ବଜାର ଖୋଲିବାକୁ ଅନୁମତି ରହିଥିଲା । ଏବେ ଏହି ତାଲିକାରେ ଆହୁରି ୬ଟି ଜିଲ୍ଲା ସାମିଲ୍ ହେବା ସମ୍ଭାବନା ସୃଷ୍ଟି ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଲେ, ଦେବଗଡ଼, ସୁବଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, ଗଞ୍ଜାମ ଏବଂ ମାଲକାନଗିରି । ମାଲକାନଗିରି ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ୫ଟି ଜିଲ୍ଲାରେ ଗଲା କିଛିଦିନ ହେଲା କ୍ରମାଗତ ଭାବେ ସଂକ୍ରମଣ ହାର କମୁଥିବା ଲକ୍ଷ୍ୟ କରାଯାଇଛି ।
ରାଜ୍ୟ ସରକାରଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଅନୁଗୁଳ, ବୌଦ୍ଧ, କଟକ, ନୟାଗଡ଼, ନବରଙ୍ଗପୁର, ରାୟଗଡ଼ା, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ସଂକ୍ରମଣ ହାର କମିବାରେ ଲାଗିଛି । କିନ୍ତୁ ଭଦ୍ରକ, ଯାଜପୁର, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି ଏବଂ ମୟୂରଭଞ୍ଜରେ ସଂକ୍ରମଣ ହାର ଏବେ ବି ଉପରମୁହାଁ ରହିଛି ।