ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖି ବର୍ଷା ସହ ଘଡଘଡି ସମ୍ଭାବନା । ଏଥିପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବରଗଡ଼, ଝାରସୁଗୁଡା ଜିଲ୍ଲାରେ କାଳବୈଶାଖି ଦେଖାଦେବ । ଏହା ସହିତ ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଏବଂ ଯାଜପୁରରେ ମଧ୍ୟ ଘଡଘଡି ବିଜୁଳି ସହିତ ବର୍ଷା ପବନ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଆସନ୍ତା ୧୧ ତାରିଖରୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ସହିତ ଏହି ଲଘୁଚାପ ପ୍ରଭାବରେ ରାଜ୍ୟକୁ ମୌସୁମୀ ଛୁଇଁବ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି ।