ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶାକୁ ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ଆସିପାରେ । ସମ୍ଭବତଃ ଆସନ୍ତା ୮ ତାରିଖବେଳକୁ ଦକ୍ଷିଣ ଓଡ଼ିଶାକୁ ଛୁଇଁବ ମୌସୁମୀ । ତେବେ ଏନେଇ ପୂର୍ବାନୁମାନ କରିଛି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ।
ସିଇସି ଆକଳନ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ଆନ୍ଧ୍ରପ୍ରଦେଶରେ ପ୍ରବେଶ କରିଥିବାବେଳେ ଏହା ତାମିଲନାଡ଼ୁ ଓ ଆନ୍ଧ୍ରର ଅନେକ ଅଞ୍ଚଳକୁ ଆଚ୍ଛାଦିତ କରିଛି । ଏହା ଆସନ୍ତା ୮ କିମ୍ବା ୯ ତାରିଖବେଳକୁ ଦକ୍ଷିଣ ଓଡ଼ିଶା ଛୁଇଁବ । ଆସନ୍ତା ୨-୩ ଦିନ ଭିତରେ ମୌସୁମୀ ପ୍ରବାହ ଅଧିକ ଶକ୍ତିଶାଳୀ ହେବ । ଆସନ୍ତା ୧୦ ଓ ୧୧ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହା ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ମୌସୁମୀ ସାରା ଓଡ଼ିଶାରେ ପ୍ରବେଶ କରିବ । ଲଘୁଚାପ ଘନୀଭୂତ ହୋଇ ଅବପାତ (ଡିପ୍ରେସନ୍) ରୂପ ନେବା ସହ ୧୦ ତାରିଖ ରାତିରୁ ୧୧ ତାରିଖ ରାତି ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା କରାଇବ । ପରେ ୧୪ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।