ସନଷ୍ଟାର ଟିଭି ବ୍ୟୁରୋ
କଟକ: ଗ୍ରୀଷ୍ମ ଅବକାଶ ପରେ ହାଇକୋର୍ଟ ଖୋଲା ଯାଇଛି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୭ ତାରିଖରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ କିପରି ଚାଲିବ ସେ ନେଇ ହାଇକୋର୍ଟ ରେଜିଷ୍ଟ୍ରାର ଜୁଡିସିଆଲ୍ଙ୍କ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି । ପ୍ରତ୍ୟେକ କାର୍ଯ୍ୟ ଦିବସରେ ଗୋଟିଏ ଖଣ୍ଡପୀଠ ଏବଂ ୬ଟି ଜଣିକିଆ ଅଦାଲତ କାର୍ଯ୍ୟ କରିବ ବୋଲି ଏଥିରେ କୁହାଯାଇଛି ।
ସମସ୍ତ ଅଦାଲତ ଭିଡିଓ କନ୍ଫରେନ୍ସିଂ ଜରିଆରେ ସାଢ଼େ ୧୦ଟାରୁ ବିଭିନ୍ନ ମାମଲାର ଶୁଣାଣି କରିବେ। ୫୦% କର୍ମଚାରୀଙ୍କୁ ନେଇ ହାଇକୋର୍ଟ କାର୍ଯ୍ୟ କରିବ । ସହକାରୀ ରେଜିଷ୍ଟ୍ରାର ଏବଂ ତଦୁଦ୍ଧ୍ୱର୍ ପାହ୍ୟାର ଅଧିକାରୀ ପୂର୍ଣ୍ଣ ସଂଖ୍ୟାରେ କାର୍ଯ୍ୟ କରିବେ । ଯେଉଁ କର୍ମଚାରୀମାନେ ଅଦାଲତକୁ ଆସିବେ ସେମାନେ ନିଜ ସହ ପରିଚୟ ପତ୍ର ଆଣିବା ବାଧ୍ୟତାମୂଳକ କରାଯାଇଛି । ହାଇକୋର୍ଟ କର୍ମଚାରୀଙ୍କ ଛଡା ଅଦାଲତକୁ ଅନ୍ୟ ସମସ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ନିହାତି କାମ ଥିଲେ ଆଇନଜୀବୀମାନଙ୍କୁ ଆସିବା ଲାଗି ଅନୁମତି ମିଳିପାରିବ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି ।
ମାମଲା ରୁଜୁ କରିବା କିମ୍ବା ମାମଲା ସହ ଜଢ଼ିତ ଡକ୍ୟୁମେଣ୍ଟକୁ ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୨ଟା ମଧ୍ୟରେ ଡ୍ରପ୍ ବକ୍ସରେ ପକାଇ ପାରିବେ । କିମ୍ବା ଇ-ମେଲ୍ରେ ମଧ୍ୟ ପଠାଇ ପାରିବେ । ମାମଲାର ପଞ୍ଜୀକରଣ କରିବାକୁ ଚାହୁଁଥିଲେ ସକାଳ ୧୧ଟାରୁ ୧୨ଟା ମଧ୍ୟରେ ଡ୍ରପ୍ ବକ୍ସରେ ମେମୋ ପକାଇବାକୁ କୁହାଯାଇଛି । କୌଣସି ମାମଲା ଜରୁରିକାଳୀନ ଶୁଣାଣି ହେବାର ଆବଶ୍ୟକତା ଥିଲେ ରେଜିଷ୍ଟ୍ରାର ଜୁଡିସିଆଲ ଏବଂ ଡେପୁଟି ରେଜିଷ୍ଟ୍ରାର ଜୁଡିସିଆଲଙ୍କ ନିକଟରେ ସକାଳ ୧୧ଟାରୁ ୧୨ଟା ମଧ୍ୟରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ମେନ୍ସନ୍ କରିବାକୁ କୁହାଯାଇଛି ।