ସନଷ୍ଟାର ଟିଭି ବ୍ୟୁରୋ
କୋଲକାତା: କରୋନା ଭ୍ୟାକସିନ ନେବା ପରେ ଯେଉଁ ସାର୍ଟିଫିକେଟ୍ ମିଳିଥାଏ ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟୋ ରହିଥାଏ ।ଯାହାକୁ ନେଇ ଅନେକ ରାଜନୈତିକ ଦଳ ବିରୋଧ ମଧ୍ୟ କରୁଛନ୍ତି । ତେବେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥିରେ ପରିବର୍ତ୍ତନ କରିବାର ନିଷ୍ପତି ନେଇଛନ୍ତି । ସେ କହିଛନ୍ତି କହିଛନ୍ତି ଯେ, ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଅର୍ଥାତ୍ 18ରୁ 44 ବର୍ଷୀୟ ବର୍ଗଙ୍କ ଟିକାକରଣ ବେଳେ ସେହି ସାର୍ଟିଫିକେଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫୋଟୋ ରହିବ ।
ତେବେ ଭ୍ୟାକସିନ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫୋଟୋକୁ ନେଇ ରାଜନୀତି ବେଶ୍ ସରଗରମ ହୋଇଥିଲା । 2021 ବିଧାନ ସଭା ନିର୍ବାଚନ ସମୟରେ ଏହାକୁ ନେଇ ପଶ୍ଚିମବଙ୍ଗରେ ଖୁବ୍ ବିରୋଧ ଦେଖାଯାଇଥିଲା । ସାର୍ଟିଫିକେଟରେ ଏହି ଫୋଟୋ ଆଚାର ସଂହିତା ଉଲଂଘନ କରୁଛି ବୋଲି ଟିଏମସି ଅଭିଯୋଗ କରିଥିଲା ।
ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଥିଲେ ଯେ, ଯଦି ପ୍ରଧାନମନ୍ତ୍ରୀଙ୍କର ଫୋଟୋ ରହିବ ତେବେ ମୁଖ୍ୟମନ୍ତ୍ରୀଙ୍କ ଫୋଟୋ ମଧ୍ୟ ରହିବ । ଯଦି ସେ ଫୋଟୋ ନ ରଖନ୍ତି ତେବେ ଆମେ ମଧ୍ୟ ସେପରି କରିବୁନି ।
ତେବେ ଟିଏମସି ସରକାରଙ୍କ ଏହି ନିଷ୍ପତିକୁ ବିଜେପି ବିରୋଧ କରିଛି । ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ପ୍ରବକ୍ତା ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ଟିଏମସି ପ୍ରଧାନମନ୍ତ୍ରୀ ପଦର ଗାରିମାକୁ ସ୍ୱୀକାର କରୁନାହାନ୍ତି ।ଟିଏମସି ଏକ ଅଲଗା ଦେଶରେ ରହୁଥିବା ଭଳି ବ୍ୟବାହର ଦେଖାଉଛି । ସେମାନେ ଭାରତରେ ରହୁଛନ୍ତି ବୋଲି ମାନିବାକୁ ରାଜି ନାହାନ୍ତି ।