ସନଷ୍ଟାର ଟିଭି ବ୍ୟୁରୋ
କଟକ/ଜଳେଶ୍ୱର: ଲକଡାଉନ ସମୟରେ ଧଳା ଜହର ବେପାର ଜୋରଦାର ହେଉଥିବା ଦେଖାଯାଇଛି । କାରଣ ଗୋଟିଏ ଦିନରେ ଦୁଇଟି ସ୍ଥାନରୁ କୁଖ୍ୟାତ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ପୁଲିସ୍ । କଟକ ଓ ବାଲେଶ୍ୱର ଜିଲ୍ଲାରୁ ୨ କେଜିରୁ ଅଧିକ ବ୍ରାଉନ୍ସୁଗର୍ ଜବତ ହୋଇଛି । ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । କଟକ ମଧୁପାଟଣା ଥାନା ଅଞ୍ଚଳରୁ ପ୍ରାୟ ଏକ କେଜି ୧୨୦ ଗ୍ରାମ୍ ଓଜନର ବ୍ରାଉନସୁଗର ଜବତ କରିଛି ପୁଲିସ । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ । ପୁଲିସ ୩ କୁଖ୍ୟାତ ନିଶା ବେପାରୀଙ୍କୁ ଗିରଫ କରିଛି ।ତେବେ ଏହି ନିଶା ବେପାରୀ ଜଗତସିଂହପୁର ଜିଲ୍ଲାର ଅଟନ୍ତି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ସ୍ପେଶାଲ୍ ସ୍ୱାର୍ଡ ଓ ମଧୁପାଟଣା ଥାନା ପୋଲିସ ମିଳିତ ଭାବେ ଚଢାଉ କରି ଏହି କୁଖ୍ୟାତ ଅପରାଧିମାନଙ୍କୁ ଗିରଫ କରିଛନ୍ତି ।
ତେବେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରେ ଚଢ଼ଉ କରି ଏସ୍ଟିଏଫ୍ ଟିମ୍ ଏକ କେଜିରୁ ଅଧିକ ବ୍ରାଉନ୍ସୁଗର୍ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟିରୁ ଅଧିକ ହେବ । ବିକ୍ରି କରୁଥିବା ଯୁବକ ଓ ବେପାରୀକୁ ମଧ୍ୟ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ଜଳେଶ୍ୱର ବ୍ଲକ ଝାଡ଼େଶ୍ୱରପୁର ଗ୍ରାମର ଶେଖ୍ ସାହବଜାନ, ପଥରପୁରା ଗ୍ରାମର ପିଣ୍ଟୁ ସାହୁ ଓ କୁନା ଦାସ ବୋଲି ସୂଚନା ମିଳିଛି ।
ତେବେ ଧଳା ଜହର ବେପାରରେ ରୋକ ଲଗାଇବା ପାଇଁ ଓଡିଶା ପୋଲିସ ବେଶ୍ ଆକ୍ଟିଭ୍ ରହିଛି । । ଚଳିତ ବର୍ଷ ଜାନୁଆରୀରୁ ଏଯାଏଁ ପ୍ରାୟ ୩ କେଜିରୁ ଅଧିକ ଓଜନର ବ୍ରାଉନସୁଗାର ସହ ପ୍ରାୟ ୨୪ ଜଣ ନିଶା ବେପାରୀଙ୍କୁ ଗିରଫ କରିଛନ୍ତି ଓଡିଶା ପୁଲିସ ।