ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ବିରୁଦ୍ଧରେ ଲଢେଇରେ ସାମିଲ ହେବା ପାଇଁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଣ୍ଟି କୋଭିଡ୍ ମେଡିସିନ 2-DG ପାଇଁ ମାର୍ଗଦର୍ଶିକା ଜାରି କରିଛି ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ( ଡିଆରଡିଓ) ।
ଏହି ମାର୍ଗଦର୍ଶିକା ଅନୁଯାୟୀ, ସମସ୍ତ କୋଭିଡ୍ ରୋଗୀଙ୍କୁ ଏହି ମେଡିସିନ ଦିଆଯିବନି । ତେବେ ଅନିୟନ୍ତ୍ରିତ ଡାଇବେଟିସ୍ ଏବଂ ଗମ୍ଭୀର ହୃଦରୋଗ ପୀଡିତ, ରେସ୍ପିରେଟରି ଡିଷ୍ଟ୍ରେସ୍ ସିଣ୍ଡ୍ରୋମ ପୀଡିତଙ୍କୁ ଏହି ଔଷଧ ଦେବା ପୂର୍ବରୁ ସତର୍କତା ରକ୍ଷା କରିବାକୁ କୁହାଯାଇଛି ।
ଗୁରୁତର କୋଭିଡ୍ 19 ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶରେ ସର୍ବାଧିକ 10 ଦିନ ପର୍ଯ୍ୟନ୍ତ ଏହି ମେଡିସିନକୁ ଦିଆଯିବ । ଡିଆରଡିଓ ୨ଡିଜି ଔଷଧକୁ ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା, ୧୮ ବର୍ଷରୁ କମ୍ ବୟସର ଲୋକମାନଙ୍କୁ ଦେବାକୁ ମନା କରିଛି ।
ମେ ମାସ ଆରମ୍ଭରେ କରୋନା ରୋଗୀଙ୍କ ଉପରେ ଜରୁରୀକାଳିନ ସ୍ଥିତିରେ ୨-ଡିଅକ୍ସି-ଡି-ଗ୍ଲୁକୋଜ ପ୍ରୟୋଗ କରିବାକୁ ଭାରତର ଡ୍ରଗ୍ କଣ୍ଟ୍ରୋଲର ମଞ୍ଜୁରି ଦେଇଥିଲା । ଡିଆରଡିଓ ଦ୍ଵାରା ବିକଶିତ ହୋଇଥିବା ଏହି ଔଷଧକୁ ମେ ୧୭ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଲଞ୍ଚ କରିଥିଲେ ।