ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଙ୍କଟ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପଦକ୍ଷେପ ଦ୍ୱାରା କରୋନାରେ ନିଜ ସ୍ୱାମୀଙ୍କୁ ହରାଇଥିବା ମହିଳା ଓ ନିଜ ପିତାମାତାଙ୍କୁ ହରାଇଥିବା ଶିଶୁ ଖୁବ୍ ଉପକୃତ ହେବେ । କରୋନାରେ ନିଜ ସ୍ୱାମୀଙ୍କୁ ହରାଇଥିବା ମହିଳାମାନଙ୍କୁ ଓ ନିଜ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେ ପିଲାମାନଙ୍କୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରି ମାତ୍ର ୨ ସପ୍ତାହ ମଧ୍ୟରେ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରାଯିବ ।
ତେବେ ଏଥିସହିତ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀମାନଙ୍କୁ ଆଗୁଆ ୩ ମାସର ପେନ୍ସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ପେନ୍ସନ ନଗଦ ଟଙ୍କା ଆକାରରେ ହିତାଧିକାରୀଙ୍କ ଗାଁରେ ହିଁ ଦିଆଯିବ ବୋଲି ସେ କହିଛନ୍ତି ।