ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବାତ୍ୟା ଓ ବନ୍ୟା ଯୋଗୁଁ ୮୭ କୋଟି ଟଙ୍କାର କ୍ଷତି ସହିଛି ଜଳସମ୍ପଦ ବିଭାଗ । ତେବେ ଏନେଇ ସରକାରଙ୍କୁ ପ୍ରାଥମିକ ଆକଳନ ରିପୋର୍ଟ ପ୍ରଦାନ କରିଛି ଜଳସମ୍ପଦ ବିଭାଗ । ବୃହତ ଜଳ ପ୍ରକଳ୍ପ ଓ ଲୁଣା ବନ୍ଧରେ ୬୯.୧୮ କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ଡ୍ରେନେଜରେ କ୍ଷତି ହୋଇଛି ୭.୬୭ କୋଟି ଟଙ୍କା । ତେବେ ଉଠା ଜଳସେଚନ ପ୍ରକଳ୍ପରେ ପ୍ରାୟ ୨.୬୩ କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ମାଧ୍ୟମ ପ୍ରକଳ୍ପରେ ୭.୦୮ କୋଟି କ୍ଷତି ହୋଇଛି ।
ତେବେ ବାଲେଶ୍ୱରରେ ଏବେ ବି କିଛି ଅଞ୍ଚଳ ଜଳମଗ୍ନ ଥିବାରୁ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ କରାଯାଇ ପାରିନାହିଁ ବୋଲି ଜଳସମ୍ପଦ ବିଭାଗ ସୂଚନା ଦେଇଛି । ପରିସ୍ଥିତିରେ ସୁଧାର ଆସିଲେ ଏହି କ୍ଷୟକ୍ଷତିର ଆକଳନ କରାଯିବ । ବର୍ତ୍ତମାନ ସୁଦ୍ଧା ଛୋଟ ଓ ବଡ ଘାଇକୁ ମିଶାଇ ମୋଟ ୩୫ଟି ଘାଇ ମରାମତି କରାଯାଇଛି । ମୋଟ ୭୭ ଘାଇ ହୋଇଛି । ବାଲେଶ୍ୱରରେ ଲୁଣା ବନ୍ଧ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ମୌସୂମୀ ବର୍ଷା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସବୁ ମରାମତି କରାଯିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି ।