ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣି ଥରେ ଲକଡାଉନ ଅବଧିକୁ ବଢାଇଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟର ତିନି ଜିଲ୍ଲାରେ କୋଭିଡ୍ କଟକଣାକୁ ହ୍ରାସ କରାଯାଇଛି । ନୂଆପଡା, ଗଜପତି, ସୁନ୍ଦରଗଡରେ କୋଭିଡ୍ ସଂକ୍ରମଣ ହ୍ରାସ ପାଉଥିବାରୁ କୋଭିଡ୍ କଟକଣାକୁ ହ୍ରାସ କରାଯାଇଛି । ତେବେ ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ତିନୋଟି ଜିଲ୍ଲାରେ 10 ପ୍ରତିଶତ ତଳେ କୋଭିଡ୍ ସଂକ୍ରମଣ ହାର ରହିଛି । ସେଥିପାଇଁ କୋଭିଡ୍ କଟକଣାକୁ ହ୍ରାସ କରାଯାଇଛି । ଯଦି ଅନ୍ୟ ଜିଲ୍ଲା ଗୁଡିକରେ କୋଭିଡ୍ ସଂକ୍ରମଣ ସଂଖ୍ୟା ହ୍ରାସ ପାଏ ତେବେ ପର୍ଯ୍ୟାୟକ୍ରମେ ଅନ୍ୟ ଜିଲ୍ଲାଗୁଡିକରୁ ମଧ୍ୟ କଟକଣା ହ୍ରାସ କରାଯିବ ।
ଏହି 3 ଜିଲ୍ଲାରେ ସକାଳ 7 ଟାରୁ ଦିନ 1 ଟା ଯାଏଁ ଦୋକାନ ବଜାର ଖୋଲା ରହିବ । କେବଳ ସେଲୁନ୍, ପାର୍ଲର, ମଲକୁ ବାଦ୍ ଦେଲେ ଅନ୍ୟ ଦୋକାନ ଏଠାରେ ଖୋଲା ରହିବ ।କିନ୍ତୁ ଯଦି ଏହି କିଛି ଦିନ ମଧ୍ୟରେ ଏଠାରେ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୁଏ ତେବେ ପୁଣି ଥରେ କୋଭିଡ୍ କଟକଣା କଡାକଡି କରାଯିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।