ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ପରିସ୍ଥିତିକୁ ନେଇ ଆଜି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ କଲ୍ୟାଣର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦିପ୍ତ କୁମାର ମହାପାତ୍ର ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ 22 ମେରେ 12 852 ପିକ୍ ଛୁଇଁଥିଲା କରୋନା ସଂକ୍ରମଣ ସଂଖ୍ୟା । ମେ 22 ରେ କରୋନା ସଂକ୍ରମଣ ସଂଖ୍ୟା 12,852 ରହିଥିଲା । ତେବେ ଏହାପରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ ଟେଷ୍ଟିଂ ସଂଖ୍ୟାକୁ ବୃଦ୍ଧି କରାଯାଇଥିଲେ ମଧ୍ୟ ରାଜ୍ୟରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଆଜି ରାଜ୍ୟରେ 9 ହଜାର ଉପରେ ରହିଛି କରୋନା ସଂକ୍ରମଣ । ରାଜ୍ୟର 9 ଜିଲ୍ଲାରେ କଟକ, ପୁରୀ, ଖୋର୍ଦ୍ଧା, ମୟୁରଭଞ୍ଜ, ସୁନ୍ଦରଗଡ, ବାଲେଶ୍ୱର, ବରଗଡ, ଅନୁଗୁଳ, ଯାଜପୁର ଜିଲ୍ଲାରେ ପାଖାପାଖି 60 ପ୍ରତିଶତ କରୋନା ସଂକ୍ରମଣ କେସ୍ ରହିଛି । ତେବେ ଏଠାରୁ ମଧ୍ୟ ସଂକ୍ରମଣ ପୂର୍ବାପେକ୍ଷା ହ୍ରାସ ପାଇଛି । 19 ଟି ଜିଲ୍ଲାରେ ପଜିଟିଭ୍ ସଂଖ୍ୟା କମିବାରେ ଲାଗିଛି । 5ଟି ଜିଲ୍ଲାରେ 5 ପ୍ରତିଶତ ତଳେ ସଂକ୍ରମଣ ହାର ରହିଛି ।
ସେ ଆଉ ମଧ୍ୟ କହିଛନ୍ତି ଯେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧିନ ରହିଛି । କରୋନା ଗ୍ରାଫ୍ ତଳକୁ ଖସିବାରେ ଲାଗିଛି । ପଶ୍ଚିମ ଓଡିଶା ଓ ସଦର ଓଡିଶାରେ କରୋନା ହ୍ରାସ ପାଇବାରେ ଲାଗିଛି । 10 ଦିନ ମଧ୍ୟରେ କରୋନା ସଂକ୍ରମଣ ଆହୁରୀ ହ୍ରାସ ପାଇବ । କରୋନା ନିୟମଗୁଡିକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ।