ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡିକ ବନ୍ଦ ରଖାଯାଇଛି । ତେବେ ଏହି ସମୟରେ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ଆସିବ ମଧ୍ୟାହ୍ନ ଭୋଜନ ଟଙ୍କା । ଏ ସଂପର୍କିତ ପ୍ରସ୍ତାବକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଅନୁମୋଦନ ଦେଇଛନ୍ତି । ଡିବିଟି ଜରିଆରେ ଏହି ଟଙ୍କା ଦିଆଯିବ । ଏଥିପାଇଁ ୧୨୦୦ କୋଟି ଟଙ୍କା ପଠାଇବେ କେନ୍ଦ୍ର ସରକାର । ପିଲାମାନଙ୍କ ପୁଷ୍ଟିକୁ ସୁରକ୍ଷା ଦେବା ସହ ମହାମାରୀ ସମୟରେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ରକ୍ଷା କରିବାରେ ଏହା ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ତେବେ ଦେଶର ପ୍ରାୟ ୧୧ କୋଟି ୮୦ ଲକ୍ଷ ଛାତ୍ରଛାତ୍ରୀଙ୍କ ଖାତାକୁ ଏହି ପଇସା ଦିଆଯିବ ।