ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବାତ୍ୟା ପ୍ରଭାବରେ ପ୍ରଭାବିତ ହୋଇଥିବା ଜିଲ୍ଲା ଗୁଡିକରେ ଆଜି ଦିନ ୧୨ଟା ୩୦ରେ ଏରିଅଲ୍ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶ ମାର୍ଗରୁ ବାତ୍ୟା ୟାସର ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବେ ମୁଖ୍ୟମନ୍ତ୍ରୀ ।ଗତକାଲି ରାଜ୍ୟର ଉପକୂଳ ଜିଲ୍ଲା ଗୁଡିକରେ ବାତ୍ୟା ୟାସ୍ ତାଣ୍ଡବ ରଚିଥିଲା । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଥିଲା । ପବନ ସହିତ ସମୁଦ୍ର ପାଣି ମାଡି ଆସିବା ଫଳରେ ଅନେକ ଗାଁ ଏବେ ମଧ୍ୟ ଜଳବନ୍ଦୀ ହୋଇ ରହିଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଆଦି ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସ୍ଥିତି ଅନୁଧ୍ୟାନ କରିବେ । ଏନେଇ ଚିଠିଲେଖି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଆଦିତ୍ୟ ମହାପାତ୍ର । ଏପରିକି ବାତ୍ୟା କ୍ଷୟକ୍ଷତି ଆକଳନ ପରେ ସଂଧ୍ୟାରେ କିଛି ପ୍ୟାକେଜ ଘୋଷଣା ହୋଇପାରେ ।
ତେବେ ଗତ କାଲି ମଧ୍ୟ ମୁଖ୍ୟମନ୍ତ୍ରୀ ବାତ୍ୟା ସ୍ଥିତିର ସମୀକ୍ଷା କରି ପ୍ରଭାବିତ ୧୨୮ଟି ଗାଁର ସମସ୍ତ ପରିବାରକୁ ୭ ଦିନ ରିଲିଫ୍ ଦିଆଯିବ ବୋଲି ଘୋଷଣା କରିଥିଲେ । ସେହିପରି ବାତ୍ୟାରେ କ୍ଷତିଗସ୍ତ ହୋଇଥିବା ପ୍ରମୁଖ ରାସ୍ତାଗୁଡିକୁ ୨୪ ଘଂଟା ମଧ୍ୟରେ ମରାମତି କରାଯିବ । ଏବଂ ପ୍ରଭାବିତ ଜିଲ୍ଲାରେ ୮୦ ପ୍ରତିଶତ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିଯିବ । ଖୁବ କମ ସମୟ ମଧ୍ୟରେ ତଳିଆ ଅଂଚଳରୁ ୫ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାରୁ ପଂଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ ପୁଲିସକୁ ସେମାନଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ।
Hon’ble Chief Minister Sri Naveen Patnaik will make an aerial survey of the damage caused by cyclone #Yass today afternoon. #OdishaFightsYaas
— I & PR Department, Odisha (@IPR_Odisha) May 27, 2021