ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ସାମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଯେ, କରୋନା କାଳରେ ବାତ୍ୟା ୟାସ୍ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବର୍ଷେ ହେବ କୋଭିଡ ବିରୋଧରେ ଲଢେଇ ଜାରି ରହିଛି । କିନ୍ତୁ ଏବେ ଏକ ସମୟରେ ଦୁଇ ଦୁଇଟି ବଡ ବିପଦ ବାତ୍ୟା ଓ କରୋନାର ମୁକାବିଲା କରିବାକୁ ହେବ । ଗତବର୍ଷ କୋଭିଡ ସହ ଅମ୍ଫାନର ମୁକାବିଲା କରିଥିଲୁ ।ତେଣୁ ଏଥର ମଧ୍ୟ ୟାସର ସଫଳ ଭାବେ ମୁକାବିଲା କରିବୁ ବୋଲି କହିଛନ୍ତି ନବୀନ ।
ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ । ତଥାପି ଆମକୁ ସାବଧାନ ରହିବାକୁ ପଡିବ ।ସରକାର ଉଭୟ କୋଭିଡ ଓ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ଜନସାଧାରଣଙ୍କର ସହଯୋଗ ଆମ ପ୍ରସ୍ତୁତିକୁ ଆହୁରି ମଜବୁତ କରିବ । ସାଢେ ୪ କୋଟି ଓଡ଼ିଶାବାସୀ ମୋର ପରିବାର । ମୋ ପରିବାରର ନିରାପତ୍ତା ମୋର ସବୁଠୁ ବଡ ପ୍ରାଥମିକତା । ପ୍ରତିଟି ଜୀବନ ମୂଲ୍ୟବାନ, ତେଣୁ ପ୍ରତ୍ୟେକ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମର ଲକ୍ଷ୍ୟ । ତେବେ ବାତ୍ୟା ପୂର୍ବରୁ କଚ୍ଚା ଘର ଛାଡି ପକ୍କା ଘର ଓ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲି ଆସନ୍ତୁ । ବାତ୍ୟା ମୁକାବିଲା ପାଇଁ ପ୍ରଶାସନକୁ ସହଯୋଗ କରନ୍ତୁ । କରୋନା କାଳରେ ସମସ୍ତଙ୍କୁ ଅଧିକ ସତର୍କ ରହି କାମ କରିବାକୁ ପଡିବ ।
ତେବେ ବାତ୍ୟା ୟାସ୍ ର ପ୍ରଭାବ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଦେଖିବାକୁ ମିଳିଛି। ଜଗତସିଂପୁର, ବାଲେଶ୍ବର ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି ।