ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ମହାମାରୀ ସହିତ ବ୍ଲାକ୍ ଫଙ୍ଗସ୍ ରୋଗ ଦେଶରେ ଚିନ୍ତାର କାରଣ ସାଜିଛି । ତେବେ ଏହି ବ୍ଲାକ୍ ଫଙ୍ଗସ୍ ଡାଇବେଟିସ୍ ରୋଗୀଙ୍କ ପାଇଁ ଅଧିକ ମାରାତ୍ମକ । ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ରୋଗୀଙ୍କ ମଧ୍ୟରେ ପ୍ରାୟ 55% ରୋଗୀ ଡାଇବେଟିସରେ ପିଡୀତ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ. ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି । 27 ଜଣିଆ ମନ୍ତ୍ରୀମଣ୍ଡଳକୁ ନେଇ ଆୟୋଜିତ ଏକ ବୈଠକରେ ବ୍ଲାକ୍ ଫଙ୍ଗସ୍ ବିଷୟରେ ଆଲୋଚନା ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ମତ ଦେଇଥିଲେ । ସେ କହିଛନ୍ତି ଯେ ଦେଶର 18 ଟି ରାଜ୍ୟରୁ ପ୍ରାୟ 4,424 ବ୍ଲାକ୍ ଫଙ୍ଗସ୍ କେସ୍ ଦେଖାଯାଇଛି । ମଧ୍ୟରୁ 55 ପ୍ରତିଶତ ଆକ୍ରାନ୍ତ ଡାଇବେଟିସ୍ ରୋଗରେ ପୂର୍ବରୁ ପିଡୀତ । ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକର୍ମାଇକୋସିସ୍ ସାଧାରଣତଃ ମାଟି, ଉଦ୍ଭିଦ, ଖତ ଏବଂ କ୍ଷୟ ହେଉଥିବା ଫଳ ଏବଂ ପନିପରିବାରେ ଦେଖାଯାଏ । ଏହି ରୋଗ ମସ୍ତିଷ୍କ ଏବଂ ଫୁସଫୁସକୁ ପ୍ରଭାବିତ କରିଥାଏ ଏବଂ ବିଶେଷଜ୍ଞଙ୍କ ଅନୁଯାୟୀ ମଧୁମେହ କିମ୍ବା ଗୁରୁତର ରୋଗରେ ପୀଡିତ ଯେପରିକି ଏଚଆଇଭି, କ୍ୟାନସର ରୋଗୀଙ୍କ ଜୀବନ ପ୍ରତି ଏହା ଅଧିକ ବିପଦ ହୋଇପାରେ ।
ତେବେ ଗତ ସପ୍ତାହରେ, କେନ୍ଦ୍ର ପାଞ୍ଚଟି ଫାର୍ମା ସଂସ୍ଥାକୁ ବ୍ଲାକ୍ ଫଙ୍ଗସ ପାଇଁ ଆଣ୍ଟି ଫଙ୍ଗାଲ ଡ୍ରଗ ତିଆରି କରିବା ପାଇଁ ଲାଇସେନ୍ସ ପ୍ରଦାନ କରିଥିଲା । ସଂକ୍ରମଣ ରୋକିବା ଏବଂ ନିୟନ୍ତ୍ରଣ ପାଇଁ ଡାକ୍ତରଖାନାଗୁଡ଼ିକରେ ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥାକୁ ସମୀକ୍ଷା କରିବାକୁ କେନ୍ଦ୍ର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।