ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ହେବାକୁ ଥିବା ବାତ୍ୟାର ଆକଳନ ପରେ ରାଜ୍ୟ ସରକାର ଏହାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଇଛନ୍ତି । ଆଜି ୟସର ମୁକାବିଲା ନେଇ ଉଚ୍ଚ ସ୍ତରୀୟ ବୈଠକର ଆୟୋଜନ କରିଥିଲେ ।ଏହି ବୈଠକରେ ଆଇଏମଡି ଅଧିକାରୀ ଓ ବିଭିନ୍ନ ବିଭାଗ ସଚିବଙ୍କ ସହ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଲୋଚନା କରିଥିଲେ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାକୁ କେମିତି ମୁକାବିଲା କରାଯିବ ସେନେଇ ଆଲୋଚନା କରିବା ସହ ପ୍ରସ୍ତୁତ ରହିବାକୁ ଓ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ମୁକାବିଲା ପାଇଁ ଗତକାଲି ମଧ୍ୟ ଓଡ୍ରାଫ୍, ଏନଡିଆଏଫ୍, ଓଡ଼ିଶା ପୁଲିସ ଓ ପାଣିପାଗ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏସଆରସି । ଏଥିସହ ଜିଲ୍ଲାପାଳମାନଙ୍କ ସହ ବି ଆଲୋଚନା କରିଥିଲେ ଓ ୧୦ଟି ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଆସନ୍ତା 22 ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ଆକଳନ କରିଛନ୍ତି ପାଣିପାଗ ବିଭାଗ । ଏହି ଲଘୁଚାପ ଆସନ୍ତା 24ରେ ବାତ୍ୟାର ରୂପ ନେବା ସହ ମେ 26 ସକାଳ ସମୟରେ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି ।