ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ମେ ୨୪ରୁ ଅଗଷ୍ଟ ୨୩ ଯାଏଁ ଘରକୁ ଘରବୁଲି କରୋନା ସର୍ଭେ କରିବୋ ଆଶା ଓ ଅଙ୍ଗନବାଡ଼ି କର୍ମୀ । ରାଜ୍ୟକୁ କୋଭିଡ୍ ମୁକ୍ତ କରିବା ପାଇଁ ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ଯୋଜନା । ସର୍ବଦଳୀୟ ବୈଠକ ଏନେଇ ନିଷ୍ପତି ନିଆଯାଇଛି । ଆସନ୍ତା ୨୪ରୁ ରାଜ୍ୟରେ ଘର ଘର ବୁଲି କରୋନା ସର୍ଭେ ଆରମ୍ଭ ହେବ । ଏ ସର୍ଭେ ଅଗଷ୍ଟ ୨୩ ଯାଏ ଚାଲୁ ରହିବ । ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ଦ୍ୱାରା ଏହି ସର୍ଭେ କାମ କରାଯିବ । ଏଥିପାଇଁ ଆଶା କର୍ମୀମାନଙ୍କୁ ସରକାର ୧୦ ହଜାର ଲେଖାଏଁ ସହାୟତା ପ୍ରଦାନ କରିବେ । ଗାଁ କଲ୍ୟାଣ ସମିତିଗୁଡ଼ିକ ମଧ୍ୟ କରୋନା ମୁକାବିଲାରେ ସହଯୋଗ କରିବେ । ଏଥିପାଇଁ ପ୍ରତି ସମିତିକୁ ସରକାର ଅତିରିକ୍ତି ୧୦ ହଜାର ଟଙ୍କାର ପାଣ୍ଠି ଯୋଗାଇଦେବେ । ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ କେଉଁ ଢାଞ୍ଚାରେ ଏ ସର୍ଭେ କରିବେ ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି । ଏନେଇ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରମାନେ ତ୍ୱରିତ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗର ନିଷ୍ପତ୍ତି ଅନୁସାରେ, ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବସ୍ତି ଅଞ୍ଚଳରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଘର ଘର ବୁଲି ପରିବାରରେ କାହାର ଜ୍ୱର କିମ୍ବା କୋଭିଡ୍ ଲକ୍ଷଣ ଅଛି ନା ନାହିଁ ନିୟମିତ ଭାବେ ସର୍ଭେ କରିବେ । ଏପରିକି କାହାର ଯଦି ଜଟିଳ ରୋଗ କିମ୍ବା ମଧୁମେହ, ଉଚ୍ଚ ରକ୍ତଚାପ ଭଳି ରୋଗୀ ଥିବେ ତାହା ପଚାରି ବୁଝିବେ । ଯଦି କେଉଁ ପରିବାରରେ କରୋନା ଲକ୍ଷଣ ଥିବା ଜାଣିବାକୁ ପାଇବେ ତେବେ ତୁରନ୍ତ କୋଭିଡ୍ ଟେଷ୍ଟ ପାଇଁ ପରାମର୍ଶ ଦେବେ । ଯଦି କେହି ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ତାଙ୍କୁ କେମିତି ଚିକିତ୍ସା ସେବା ମିଳିପାରିବ ସେନେଇ ସରକାରୀ ବ୍ୟବସ୍ଥା ସଂପର୍କରେ ଅବଗତ କରାଇବା ସହ ସବୁ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।