ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପୁଣି ବାତ୍ୟା ଭୟ । ଗୋଟିଏ ପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତାଉତେ ବ୍ୟାପକ କ୍ଷୟକ୍ଷତି କରିଛି । ଖାସ୍ କରି ଗୁଜୁରାଟ , ମହାରାଷ୍ଟ୍ର, ଗୋଆଷ କର୍ଣ୍ଣାଟକରେ ଏହାର ପ୍ରଭାବ ଦେଖିଛି । ତେବେ ଗୋଟିଏ ବାତ୍ୟାର କ୍ଷୟକ୍ଷତି ଆକଳନ ହୋଇନଥିବା ବେଳେ ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ଆଉ ଏକ ବାତ୍ୟା । ପାଣିପାଗ ଆକଳନ ଅନୁଯାୟୀ ସାମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇପାରେ।
ସେହିପରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରିଛି ଯେ, ସୁପର ସାଇକ୍ଲୋନ୍ ‘ୟଶ୍’ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ। ମେ ୨୩-୨୫ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଏଭଳି ଆକଳନକୁ ନେଇ ମେ’ ମାସରେ ପୁଣି ଥରେ ବାତ୍ୟା ଡର ଘାରିଲାଣି। ଅନ୍ୟପକ୍ଷରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରକୋପରେ ଭାଜି ହେଉଛି ସାରା ଓଡ଼ିଶା । ମଙ୍ଗଳବାର ରାଜ୍ୟର ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ଥିଲା । ସୋନପୁର ୪୨ ଡିଗ୍ରୀ ତାତିରେ ସିଝିଥିବାବେଳେ ଆଉ ୪ଟି ସ୍ଥାନରେ ପାରଦ ୪୧ ଡିଗ୍ରୀ ଟପିଛି ।