ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ଟିକାକରଣ ଅଭିଯାନ ଜାରି ରହିଛି । ବୃଦ୍ଧ, ବୟସ୍କ ଓ ବିଭିନ୍ନ ରୋଗରେ ପିଡୀତ ବ୍ୟକ୍ତିମାନଙ୍କୁ ଟିକା ଦିଆଯିବା ପରେ ଏବେ 18ରୁ 44 ବର୍ଷୀୟ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯାଉଛି । ତେବେ ଏହି ଟିକାକରଣ ପ୍ରକ୍ରିୟାରେ ରାଜ୍ୟ ସରକାର ଏକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଏଣିକି ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ସଦସ୍ୟଙ୍କୁ ଦିଆଯିବ କୋଭିଡ ଟିକା । ସ୍ୱାସ୍ଥ୍ୟକର୍ମୀମାନେ ସିଧାସଳଖ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେମାନଙ୍କ ପରିବାର ପ୍ରତି କରୋନା ସଂକ୍ରମଣ ଭୟ ଅଧିକ ରହିଛି । ତେଣୁ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ଲୋକଙ୍କୁ କୋଭିଡ ଟିକା ଦେବାପାଇଁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର ସୂଚନା ଦେଇଛନ୍ତି ।
ତେବେ ଏହି ପର୍ଯ୍ୟାୟରେ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍ଙ୍କ ପରିବାର ଲୋକଙ୍କୁ ଟିକା ଦେବା ପାଇଁ ସ୍ୱାସ୍ଥ୍ୟ ACSଙ୍କ ଚିଠି କରାଯାଇଛି । ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର, CDMOମାନଙ୍କୁ ଚିଠି ଦ୍ୱାରା ଏ ନେଇ ଅବଗତ କରାଯାଇଛି । ନିଜ ନିଜ ଜିଲ୍ଲାରେ ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ ରହିଛି ।