ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଲକଡାଉନର ଦ୍ୱିତୀୟ ଫେଜ୍ । କରୋନା ସଂକ୍ରମଣକୁ ଦୃଷ୍ଚିରେ ରଖି ରାଜ୍ୟ ସରକାର ଗତକାଲି ଜୁନ୍ ପହିଲା ଯାଏ ଲକଡାଉନ୍ ଘୋଷଣା କରିଛନ୍ତି ।ଏହି ସମୟରେ ପୂର୍ବର ଗାଇଡଲାଇନରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସକାଳ ୭ଟାରୁ ୧୧ଟା ଯାଏ ଜରୁରୀ ସାମଗ୍ରୀ ଯେପରିକି ପରିବା, ମାଛ ଦୋକାନ, ଇଲେକ୍ଚ୍ରି ସାମଗ୍ରୀ ଦୋକାନ ପ୍ରଭୃତି ଖୋଲା ରହିବ । ବିବାହ ଉତ୍ସବରେ 25 ଓ ଅନ୍ତେଷ୍ଟି କ୍ରିୟାରେ 20 ଜଣ ଯୋଗ ଦେଇପାରିବେ ।
ଦ୍ୱିତୀୟ ପର୍ଯ୍ୟାୟ କଟକଣାରେ ଉଭୟ ସରକାରୀ ଓ ଘରୋଇ ସଂସ୍ଥା ପାଇଁ ମଧ୍ୟ କର୍ମଚାରୀ ହ୍ରାସ କରିବାକୁ କହିଛନ୍ତି ରାଜ୍ୟ ସରକାର । ସରକାରୀ ଅଫିସ ୧୦ ପ୍ରତିଶତରେ ଚାଲିବ । ଅବଶ୍ୟ ପୁଲିସ, ହୋମଗାର୍ଡ, ଅଗ୍ନିଶମ ପରି ଅତ୍ୟାବଶ୍ୟକ ସେବାରେ କୌଣସି ପ୍ରକାର କର୍ମଚାରୀ ହ୍ରାସ କରାଯିବ ନାହିଁ । ଘରୋଇ ଓ କର୍ପୋରେଟ ସଂସ୍ଥାରେ ୩୩ ପ୍ରତିଶତ କର୍ମଚାରୀ ଅଫିସ ଆସିପାରିବେ ବୋଲି କୁହାଯାଇଛି। ଏହା ସହିତ ଓ୍ୱାର୍କ ଫ୍ରମ୍ ହୋମ୍କୁ ପ୍ରୋତ୍ସାହିତ କରିବାକୁ କହିଛନ୍ତି ରାଜ୍ୟ ସରକାର । ଆଇଟି ସେକ୍ଟରରେ ୨୦ ପ୍ରତିଶତ କର୍ମଚାରୀ ଅଫିସ ଆସିପାରିବେ ବୋଲି ନିୟମ ଜାରି କରାଯାଇଛି ।ଯଥା ସମ୍ଭବ ଘରେ ରହି କାମ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।