ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସାହାଯ୍ୟର ହାତ ବଢାଇ ମାନବିକତା ଦେଖାଇଛନ୍ତି ପ୍ରବାସୀ ଓଡ଼ିଆ ସଂଗଠନ ଓଡ଼ିଆ ମହାମଞ୍ଚ । ଦିଲ୍ଲୀରେ ଥିବା ଅସହାୟ ପ୍ରବାସୀଙ୍କ ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଓଡିଶା ସରକାରଙ୍କ ଦିଲ୍ଲୀ ସ୍ଥିତ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଅଗ୍ରାଧିକାର ଭିତ୍ତିରେ ଅକ୍ସିଜେନ୍ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ଓଡିଆ ମହାମଞ୍ଚ । ଏପର୍ଯ୍ୟନ୍ତ ପ୍ରାୟ ୨୩୬ଟି ଅସହାୟ ପ୍ରବାସୀ ଓଡ଼ିଆଙ୍କୁ ୨୩୬ଟି ଅକ୍ସିଜେନ୍ ସିଲିଣ୍ଡର ବଣ୍ଟନ କରିଥିବାର ଓଡିଆ ମହାମଞ୍ଚର ନିର୍ଦ୍ଦେଶକ ମନୋଜ ନାୟକ ସୂଚନା ଦେଇଛନ୍ତି ।
ଏଥି ସହ କରୋନାରେ ପ୍ରାଣ ହରାଇଥିବା ଅସହାୟ ମାନଙ୍କ ଶବ ସତ୍କାର ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରିବା ସହ ମୃତକଙ୍କ ପରିବାର ବର୍ଗଙ୍କୁ ଅନ୍ତେଷ୍ଟି କ୍ରିୟା ନିମନ୍ତେ ଅର୍ଥ ମଧ୍ୟ ପ୍ରଦାନ କରୁଛନ୍ତି ଏହି ମହାମଞ୍ଚର ସ୍ୱେଚ୍ଛାସେବୀ । ଆଉ ମଧ୍ୟ ଓଡିଆ ପ୍ରବାସୀ ପରିଚୟ ପତ୍ର ଦେଖାଇଲେ ସେମାନଙ୍କୁ ମାଗଣା ଡାକ୍ତରୀ ପରାମର୍ଶ ଯୋଗାଇ ଦିଆଯିବା ସହିତ ହସ୍ପିଟାଲ ମାନଙ୍କରେ ଶଯ୍ୟା, ଅକ୍ସିଜେନ୍, ଔଷଧ ମଧ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଉଛି । ତେବେ ଏହି ସୁବିଧା ପାଇଁ ହେଲେ ଦିଲ୍ଲୀର ପ୍ରବାସୀ ଓଡିଆ 9810153006 ନମ୍ୱରରେ ଯୋଗାଯୋଗ କରିବାକୁ ସଂଗଠନର ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି ।