ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କରୋନା ମହାମାରୀ ପାଇଁ ପାଠ ପଢା ବେଶ୍ ବାଧାପ୍ରାପ୍ତ ହୋଇଛି । ଅନଲାଇନ ପଢା ଯାଉଥିଲେ ମଧ୍ୟ ନେଟଓ୍ୱାର୍କର ସୁବିଧା ନଥିବା ଅନେକ ପିଲା ହଇରାଣ ହେଉଛନ୍ତି । ଏହାକୁ ନଜରରେ ରଖି ‘ଭାରତ ନେଟ୍’ ମାଧ୍ୟମରେ ସମସ୍ତ ସ୍କୁଲକୁ ସଂଯୋଗ କରିବାକୁ ରାଜ୍ୟର ଶିକ୍ଷା ସଚିବମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏଥିସହ ମାଧ୍ୟମିକ ସ୍କୁଲ ପିଲାଙ୍କୁ ଡିଜିଟାଲ ଡିଭାଇସ୍ ଯୋଗାଇବାକୁ ବି ବୈଠକରେ ପରାମର୍ଶ ଦିଆଯାଇଛି ।
ଗତକାଲି ଏସମସ୍ତ ବିଷୟରେ ଆଲୋଚନା କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ୍ ଭର୍ଚୁଆଲ୍ ମାଧ୍ୟମରେ ଏକ ବୈଠକ ଡକାଇଥିଲେ । ପ୍ରାୟ ଦୁଇ ଘଣ୍ଟା ଧରି ହୋଇଥିବା ଏହି ବୈଠକରେ ପିଲାମାନଙ୍କୁ ଅନ୍ଲାଇନ୍ରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଓ ଜାତୀୟ ଶିକ୍ଷା ନୀତି-୨୦୨୦ର ସଠିକ୍ କାର୍ଯ୍ୟକାରିତା ବିଷୟରେ ଆଲୋଚନା କରାଯାଇଥିଲା । ମନ୍ତ୍ରୀ ଶ୍ରୀ ପୋଖରିଆଲ କହିଥିଲେ ଯେ ଶିକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ନିରବଚ୍ଛିନ୍ନ ଶିକ୍ଷା ନିଶ୍ଚିତ କରିବାକୁ ଯୋଜନା ଆବଶ୍ୟକ । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କର ମାନସିକ ସୁସ୍ଥତାକୁ ସୁନିଶ୍ଚିତ କରିବା ପାଇଁ ‘ମନୋଦର୍ପଣ’ ପୋର୍ଟାଲକୁ ପ୍ରଭାବଶାଳୀ ଭାବେ ବ୍ୟବହାର କରାଯାଉ । ଆବଶ୍ୟକତା ହେଲେ ଏକ ଅଧିବେଶନ କରି ପିଲାଙ୍କ ବିଷାଦ ଦୂର କରିବା ଦିଗରେ ପଦକ୍ଷେପ ନେଇପାରିବେ ।