ସନଷ୍ଟାର ଟିଭି ବ୍ୟୁରୋ
ବ୍ରହ୍ମପୁର: ରାଜ୍ୟର କରୋନା ମହାମାରୀକୁ ନେଇ ଅନେକ ଦୁଃଖଦାୟକ ଘଟଣା ପ୍ରତିଦିନ ସାମ୍ନାକୁ ଆସିଛି । ଏପରି ଆଉ ଏକ ଚାଞ୍ଚଲ୍ୟକର ଘଟଣା ଆସିଛି ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ କାଜୁଆଲ୍ଟିରୁ ।ଏମ୍କେସିଜି କାଜୁଆଲ୍ଟି ଦ୍ୱିତୀୟ ମହଲାରେ ଥିବା କୋଭିଡ୍ ସନ୍ଦିଗ୍ଧ ୱାର୍ଡରେ ଜଣେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ବଡ଼ଗଡ଼ ଥାନା ଅନ୍ତର୍ଗତ ଏକଲପୁର ଗ୍ରାମର ରାଜେନ୍ଦ୍ର ମୁନି (୩୮) । ସେ କୋଭିଡ୍ ସନ୍ଦିଗ୍ଧ ୱାର୍ଡର ବାଥ୍ରୁମ୍ ଝରକାରେ ଫାଶି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବୈଦ୍ୟନାଥପୁର ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିବା କରିଛି । । ବୈଦ୍ୟନାଥପୁର ଥାନାରେ କେସ୍ ନମ୍ବର ୨୪୪/୨୦୨୧ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଆଇଆଇସି ଶାରଦା ପ୍ରସନ୍ନ ଦାଶ କହିଛନ୍ତି । ତେବେ ସନ୍ଦିଗ୍ଧ ଜଣକ ଭୟରେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ପୁଲିସ ।
ପୁଲିସ ସୂଚନା ଅନୁଯାୟୀ, ଗତ ୧୩ ତାରିଖରୁ ରାଜେନ୍ଦ୍ର ଏମ୍କେସିଜିରେ ଭର୍ତ୍ତି ହୋଇଥିଲେ । ଶ୍ୱାସକ୍ରିୟାରେ ସମସ୍ୟା ଥିବାରୁ କୋଭିଡ୍ ସନ୍ଦେହ କରି ଡାକ୍ତର ତାଙ୍କୁ କାଜୁଆଲ୍ଟି ଉପର ମହଲା ସନ୍ଦିଗ୍ଧ ୱାର୍ଡରେ ରଖିଥିଲେ । ତାଙ୍କର ଶଳା ସଞ୍ଜୟ କୁମାର ମୁନି ସେଠାରେ ତାଙ୍କର ଦେଖାଶୁଣା କରୁଥିଲେ ।ତେବେ ତିନି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିନଥିଲା । ଗତକାଲି ତାଙ୍କର ଅମ୍ଲଜାନ ସ୍ତର ମଧ୍ୟ କମିଯାଇଥିଲା । ଶଳା ସଞ୍ଜୟଙ୍କ କହିବା ଅନୁଯାୟୀ, ଅକ୍ସିଜେନ୍ ସ୍ତର ୩୫କୁ ଖସି ଆସିଥିଲା । ଏହା ଦେଖି ଅସ୍ଥିର ହେବା ସହ ବିଚଳିତ ଦେଖାଯାଉଥିଲେ ରାଜେନ୍ଦ୍ର । ଅପରାହ୍ନ ୨.୩୦ରେ ଖାଇବା ପୂର୍ବରୁ ବାଥ୍ରୁମ୍ ଯିବେ ବୋଲି କହିଥିଲେ । ୩ଟା ପର୍ଯ୍ୟନ୍ତ ନଆସିବାରୁ ସଞ୍ଜୟ ବାଥ୍ରୁମ୍କୁ ଯାଇଥିଲେ । କବାଟ ଭିତରୁ ବନ୍ଦ ଥିଲା । ସିକ୍ୟୁରିଟି ଗାର୍ଡଙ୍କୁ ଡାକି କବାଟ ବାହାର କରି ଦେଖିବା ବେଳେ ରାଜେନ୍ଦ୍ରଙ୍କ ଶବ ଝୁଲୁଥିଲା । ମେଡିକାଲ ଫାଣ୍ଡି ପୁଲିସକୁ ସୂଚନା ଦିଆଯାଇଥିଲା । ଏହାପରେ ପୁଲିସ ସେଠାକୁ ଆସି ତଦନ୍ତ କରିଥିଲା ।