ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବର୍ଷୀୟାନ୍ ରାଜନେତା ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ନାୟକଙ୍କ ଆଜି ୮୫ତମ ଜନ୍ମଦିବସ । ଓଡ଼ିଶା ରାଜ୍ୟର ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଅଖ୍ୟାତ ପଲ୍ଲୀ ‘ଅଣକଣା’ ଗ୍ରାମରେ ପଙ୍କରୁ ପଦ୍ମ ଜାତ ପରି୧୯୩୭ ମସିହା ମଇ ମାସ ୧୭ ତାରିଖରେ ପିତା ନାରାୟଣ ନାୟକ ଓ ମାତା ଫୁଲଦେବୀଙ୍କ କୋଳ ମଣ୍ଡନ କରି ସୁନ୍ଦର ସୁଢ଼ଳ ଗୋରା ତକ୍ତକ୍ ଚେହେରା ନେଇ ଧରାପୃଷ୍ଠକୁ ଅବତରଣ କରିଥିଲେ କୁନି ଶିଶୁ ଶାବକଟିଏ । ବାପା ମା’ ଅତି ଶ୍ରଦ୍ଧାରେ ନାଁ ରଖିଥିଲେ ‘ସୁରେନ୍ଦ୍ର’ । ତାଙ୍କ ବାପା ମା’ ଥିଲେ ଅତ୍ୟନ୍ତ ଧର୍ମପରାୟଣ ବ୍ୟକ୍ତି । କେହି ଯୋଗୀ ଭିକ୍ଷୁକତାଙ୍କ ଦ୍ୱାରରୁ ଶୂନ୍ୟ ହସ୍ତ କିଦ୍ଭା ଶୂନ୍ୟପେଟ ନେଇ ଫେରୁନଥିଲେ । ନିଜେ ନଖାଇ ସେମାନେ ଦୁଃଖୀଦରିଦ୍ରର ଅନ୍ତରାତ୍ମାକୁ ଚିହ୍ନି ନିଜ ଖାଦ୍ୟ ସେମାନଙ୍କୁ ଦାନ କରୁଥିଲେ । ମାତ୍ର ବିଧିର ବିଧାନ ବଡ଼ ବିଚିତ୍ର! ଖୁବ୍ କମ୍ ବୟସରେ ତାଙ୍କ ପିତା ଶ୍ରୀ ନାରାୟଣ ନାୟକ ତାଙ୍କୁ ବାପଛେଉଣ୍ଡ କରି ଚାଲିଗଲା ପରେ ମାତ୍ର ୭ ବର୍ଷ ବୟସରେ ସେ ପିତୃସ୍ନେହରୁ ବଞ୍ଚିତ ପିତୃହରା ଜୀବନ ଅତିବାହିତ କରିଥିଲେ । ଅତ୍ୟନ୍ତ ଦୁଃଖକଷ୍ଟ ସହି ବିଧବା ମା’ ଦୁଇ ପୁଅ ଓ ଦୁଇ ଝିଅଙ୍କୁ ପରିପାଳନ କରୁଥିଲେ । ସେ ଥିଲେ ସେ ଅଞ୍ଚଳର ବଡ଼ଚାଷୀ, ମାତ୍ର ଲୁଣାପାଣି ଯୋଗୁ ଧାନ ନଷ୍ଟ ହୋଇ ଯାଉଥିବାରୁ ୧୦-୧୨ ଏକର ସମ୍ପତ୍ତିର ମାଲିକ ହୋଇ ମଧ୍ୟ ସେମାନେ ବର୍ଷକ ପାଇଁ ଦାନା ସଂଗ୍ରହ କରିପାରୁନଥିଲେ । ତେଣୁ ସେ ମାମୁଁ ଘରେ ରହି ବାଲ୍ୟ ଶିକ୍ଷା ଗ୍ରହଣ କରିଥିଲେ । ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ‘ବରଡିହ’ ଗ୍ରାମରେ ତାଙ୍କର ମାମୁଁଘର । ମାମୁଁଙ୍କର ବେଶ୍ ନାଁ ଥିଲା ଓ ଅଜା ସ୍ୱର୍ଗତ ଶ୍ରୀ ରଘୁ ମହାପାତ୍ର ଥିଲେ ଜାହାନିଆଁ ପୀରଙ୍କ ପୂଜକ ସାହାଜୀଙ୍କ ତହସିଲଦାର ।
ବାଲ୍ୟ ଜୀବନରେ ତାଙ୍କର ଏକ ଅଲୌକିକ ଘଟଣା ଘଟିଛି । ମାତ୍ର ୮ ମାସର ଶିଶୁ ସୁରେନ୍ଦ୍ରଙ୍କର ଶରୀର ଥାଏ ଅସୁସ୍ଥ । ପ୍ରବଳ ଈଶ୍ୱର ବିଶ୍ୱାସୀ ତାଙ୍କର ଜେଜେମା’ ତାଙ୍କ ଶରୀର ସୁସ୍ଥ ପାଇଁ ଶିଶୁ ସୁରେନ୍ଦ୍ରଙ୍କୁ ନେଇ ଯାଇଥିଲେ ସୁଦୂର ତତ୍କାଳୀନ କଟକ ଜିଲ୍ଲା ଏବଂ ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର ଗ୍ରାମେଶ୍ୱର ମହାଦେବଙ୍କ ନିକଟକୁ । ପଞ୍ଚୁପଲ୍ଲୀର ଗ୍ରାମେଶ୍ୱର ମହାଦେବଙ୍କ ନିକଟକୁ ଯିବା ବାଟରେ ଏରସମା ବ୍ଲକ୍ ଅନ୍ତର୍ଗତ ବୋରିକିନା ହାଟ ପାଖରେ ନିଜ ଜେଜେମା’ କୋଳରେ ବିଶ୍ରାମ ନେଉଥିଲାବେଳେ ଗୋଟିଏ ମାଙ୍କଡ଼ ଟେକିନେଇ ଗଛ ପରେ ବସିଲା । ସମସ୍ତେ ନିର୍ବାକ୍ ଓ ନିଷ୍ପନ୍ଦ । କ’ଣ ହେବ? ସମସ୍ତେ କନ୍ଦାକଟା କରିବା ପରେ ମାଙ୍କଡ଼ ଶିଶୁ ଶାବକଟିକୁ ତଳକୁ ଆଣି ଥୁଆ ହୋଇଥିବା ଫଳମୂଳ ଖାଇ ଶିଶୁ ଶାବକଟିକୁ ଛାଡ଼ି ଦେଇଗଲା । ସେଦିନର ଘଟଣା ଉପସ୍ଥିତ ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା । କିଏ ଏହି ଭାଗ୍ୟବାନ ଶିଶୁ, ଯାହା ଉପରେ ଭଗବାନଙ୍କର ଅପାର କରୁଣା । ସତେ ଯେପରି ଭବିଷ୍ୟତ ଜୀବନରେ ବହୁ ଉଚ୍ଚ ସ୍ତରକୁ ଯିବାର ଏହା ଭଗବାନଙ୍କର ଏକ ଶୁଭ ସଙ୍କେତ ଥିଲା!
ଆଜି ସତରେ ସେହି ଶୁଭ ସୂଚନାଟି ତାଙ୍କୁ ସେହି ରାମଭକ୍ତ ହନୁମାନ ଗଛ ଉପରକୁ ନେଲା ପରି ସେ ଜୀବନରେ ସଫଳତାର ପାହାଚ ଉପରେ ପାହାଚ ଚଢ଼ି ବହୁ ଉଚ୍ଚସ୍ତରକୁ ଉଠି ପାରିଛନ୍ତି । ଓଡ଼ିଶା ରାଜ୍ୟ ରାଜନୀତିରେ ଶ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରୁ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ ଓଡ଼ିଶା ସରକାରଙ୍କ ଶାସନ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇ ନିଜ ନାମ ତଥା ନିଜ ନିର୍ବାଚନମଣ୍ଡଳୀ ‘କାକଟପୁର’କୁ ଗୌରାନ୍ୱିତ କରିଛନ୍ତି ।
ରାଜ୍ୟ ରାଜନୀତିରେ ଶ୍ରୀ ସୁରେନ୍ଦ୍ରନାଥ ନାୟକ (ସୁର ବାବୁ) ଜଣେ ଟାଣୁଆ ତଥା ଦୁଃଖୀ ଦରିଦ୍ରର ନେତା ଭାବେ ପରିଚିତ । ଅତି ସରଳ, ନିରାଡଦ୍ଭର ଜୀବନ ଓ ସ୍ପଷ୍ଟବାଦୀ ନେତା ଭାବରେ ସେ ଓଡ଼ିଶାରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ।
ସୁର ବାବୁ ଭାରି ସାହାସୀ ଓ ନିର୍ଭୀକ ଥିଲେ । ୧୦/୧୨ବର୍ଷ ବୟସରେ ବାଳକ ସୁରେନ୍ଦ୍ର । ସେ ସମୟରେ ଋଷିଆରୁ ଏକ ଗହମ ବୋଝେଇ ପଣ୍ୟବାହୀ ଜାହାଜ ତାଙ୍କ ଗ୍ରାମ ନିକଟବର୍ତ୍ତୀ କେଳୁଣୀ ମୁହାଣର ଛେନୁ ତଣ୍ଡାହର ସମୁଦ୍ର ପୂଳରୁ ୩ କିମି ଦୂରରେ ଅଗଭୀର ସମୁଦ୍ରରେ ଦୁର୍ଘଟଣାଗସ୍ତ ହୋଇ ବୁଡ଼ି ଯାଇଥିଲା ।
ନିକଟସ୍ଥ ଲୋକମାନେ ଯିଏ ଯାହାର ଡଙ୍ଗା ସାହାଯ୍ୟରେ ତା’ର ଭଗ୍ନାବଶେଷ କିମ୍ୱା କୌଣସି ଦ୍ରବ୍ୟ ସଂଗ୍ରହ କରିବା ନିମନ୍ତେ ଯାଉଥିବା ସମୟରେ ଦୁଃସାହାସୀ ବାଳକ ସୁରେନ୍ଦ୍ର ତାଙ୍କର ଜଣେ ସମବୟସ୍କ ନିଜ ଗାଁର ସାଙ୍ଗ ସହିତ ଆଗପଛ ବିଚାର ନ କରି ସମୁଦ୍ର ଠାରୁ ପାଖାପାଖି ୩ କିମି ଦୂର ପହଁରି ପହଁରି ଯାଇ ଜାହାଜ ପାଖରେ ପହଞ୍ଚିଥିଲେ ଏବଂ ପରବର୍ତ୍ତୀ ସମୟରେ ଫେରିବା ବାଟ ପାଇନଥିଲେ । ଶେଷରେ ଦୁଇ ସାଙ୍ଗ ୨ଟି କାଠପଟା ବ୍ୟବହାର କରି ପୁଣି ଜଳକ୍ରୀଡ଼ା କରି ପହଁରି ପହଁରି କୂଳକୁ ଫେରିଥିଲେ । ଆଜି ବି ସେହି ଜାହାଜର ଭଗ୍ନାବଶେଷ ସେଇଠାରେ ପଡ଼ି ରହିଛି । ଆଉ ସେହି ଭଗ୍ନାବଶେଷର ରାସାୟନିକ ପ୍ରକ୍ରିୟା ଦ୍ୱାରା ଖାଦ୍ୟ ଅନ୍ୱେଷଣର ପ୍ରବଳ ମାଛ ସେଠାକୁ ଆସନ୍ତି । ମତ୍ସ୍ୟଜୀବୀମାନେ ସେହି ସ୍ଥାନରୁ ପ୍ରଚୁର ମାଛ ଉତ୍ପାଦନ କରନ୍ତି ବୋଲି ଶୁଣାଯାଏ ।
ସତରେ ସେଦିନର ସେହି ଦୁଃସାହାସୀ ବାଳକ ‘ସୁରେନ୍ଦ୍ର’ ଆଜି ଆମ ସମସ୍ତଙ୍କର ଚିରନମସ୍ୟ ଚିର ପରିଚିତ ଓଡ଼ିଶା ମାଟିର ସୁନାମଧନ୍ୟ ସନ୍ତାନ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ