ସନ୍ଷ୍ଟାର ଟିଭି ବ୍ୟୁରୋ
ଥିରୁଅନନ୍ତପୁରମ: ଆସନ୍ତା ମେ 20 ତାରିଖରେ କେରଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପିନାରାୟୀ ବିଜୟନ । ରାଜ୍ୟପାଳ ମହମ୍ମଦ ଖାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବାକୁ ଥିବାବେଳେ ସେ ଦ୍ବିତୀୟ ଥର ପାଇଁ ଶାସନଭାର ଗ୍ରହଣ କରିବେ ।
କୋଭିଡ କଟକଣା ଅନୁସାରେ ଏହି ଶପଥ ପାଠ ସମାରୋହ ସେଣ୍ଟ୍ରାଲ ଷ୍ଟାଡିୟମରେ ହେବ । ସମାରୋହରେ ସର୍ବାଧିକ 750 ଜଣଙ୍କୁ ସାମିଲ କରାଯିବ । ଏ ନେଇ ଏଲଡିଏଫର ବୈଠକ ବସି ଆଲୋଚନା କରାଯାଉଛି ବୋଲି ବିଜୟନ ସୂଚନା ଦେଇଛନ୍ତି ।ତେବେ 2016 ନିର୍ବାଚନୀ ମଣ୍ଡଳୀରେ ଏଲଡିଏଫ 91ଟି ସିଟରେ ବିଜୟ ହାସଲ କରିଥିବା ବେଳେ ଚଳିତ ନିର୍ବାଚନରେ 99 ସିଟରେ ଐତିହାସିକ ବିଜୟ ହାସଲ କରିଥିଲେ ବିଜୟନ । ସେହପରି ୟୁଡିଏଫ ଓ ଏନଡ଼ିଏ 2016 ମସିହାରେ ଯଥାକ୍ରମେ 47 ଓ 1ଟି ଆସନ ଜିତିଥିବା ବେଳେ ଚଳିତ ନିର୍ବାଚନରେ 41ଟି ଜିତିଛି । କିନ୍ତୁ ବିଜେପି ନେତୃତ୍ବାଧୀନ ଏନଡିଏ ଗତ ନିର୍ବାଚନରେ ଗୋଟିଏ ସିଟ ହାତେଇଥିବା ବେଳେ ଚଳିତ ଥର ଖାତା ଖୋଲିବାରେ ବିଫଳ ହୋଇଥିଲା ।ଚଳିତ ନିର୍ବାଚନରେ ରାଜ୍ୟରେ ସିପିଏମ ନେତୃତ୍ବାଧୀନ LDFର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଓ କଂଗ୍ରେସର ସି. ରଘୁନାଥ, ବିଜେପିର ସି.କେ ପଦ୍ମନାଭନ, ସିପିଏମର କେ.କେ ଶୈଳଜା ଓ କେ,ଟି ଜଲିଲ୍ , କଂଗ୍ରେସର ଉମେନ ଚାଣ୍ଡି ଓ ରମେଶ ଚେନ୍ନିଥାଲା ଓ ବିଜେପିର ଇ. ଶ୍ରୀଧରନ ଓ କେ.ସୁରେନ୍ଦ୍ରନ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ତେବେ ପ୍ରି-ପୋଲ ଓ ପୋଷ୍ଟ-ପୋଲ ଫଳାଫଳ ଅନୁସାରେ ସିପିଏମ ନେତୃତ୍ବାଧୀନ ଏଲଡ଼ିଏଫ ଦ୍ବିତୀୟ ଥର ଐତିହାସିକ ବିଜୟ ଲାଭ କରିବ ବୋଲି ଆକଳନ କରାଯାଇଥିଲା ।