ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଅବଧିକୁ ମାସେ ବୃଦ୍ଧି କରାଯାଇଛି। ପୂର୍ବରୁ ମେ’ ୩୧ ସୁଦ୍ଧା ନାମଲେଖା ଶେଷ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ବର୍ତ୍ତମାନର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନାମଲେଖା ଅବଧି ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏ ନେଇ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ରଘୁରାମ ଆର୍ ଆୟର ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏଥିସହିତ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗତ ୨୭ତାରିଖରୁ ରାଜ୍ୟରେ ସ୍କୁଲ୍ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ନାମଲେଖା ପାଇଁ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଏସ୍ଓପି ଜାରି ହୋଇଛି। ପ୍ରତ୍ୟେକ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯ଟା ୩୦ ପର୍ଯ୍ୟନ୍ତ ନାମଲେଖା ଚାଲିବ। ଏହି ସମୟରେ ୫ଜଣରୁ ଅଧିକ ଅଭିଭାବକଙ୍କ ସ୍କୁଲରେ ପ୍ରବେଶ କରିବାକୁ ମନା କରାଯାଇଛି। ନାମଲେଖା ସମ୍ପର୍କରେ ଶିକ୍ଷା ସଂଯୋଗ ହ୍ବାଟ୍ସ ଆପ୍ ଜରିଆରେ ଅଭିଭାବକଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍ ଗାଇଡ୍ଲାଇନ ପାଳନ କରି ନାମଲେଖା ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି। ସୂଚନାଯୋଗ୍ୟ, କରୋନା ପାଇଁ ରାଜ୍ୟ ସରକାର ନବମ ଓ ଦଶମ ପରୀକ୍ଷା ବାତିଲ କରିଥିବାବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବିନା ପରୀକ୍ଷାରେ ଉନ୍ନୀତ କରିଛନ୍ତି।